ସ୍ତ୍ରୀହନ୍ତା କର୍ଣ୍ଣେଲକୁ ଆଜୀବନ ସଜ୍ଜା । ୨୦୧୩ରେ ପତ୍ନୀଙ୍କୁ ୩୦୦ ଖଣ୍ଡ କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ସୋମନାଥ । କୋର୍ଟ ରାୟ ଶୁଣାଇବା ପରେ କାନ୍ଦି କାନ୍ଦି କହିଲେ ମୁଁ ନିର୍ଦ୍ଦୋଶ

538

କନକ ବ୍ୟୁରୋ: ନିଜ ପତ୍ନୀଙ୍କୁ ୩୦୦ଖଣ୍ଡ କରି ହତ୍ୟା କରିଥିବା କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କର୍ଣ୍ଣଲ ସୋମନାଥ ପରିଡାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଭାରତୀୟ ଦଣ୍ଡବିଧି ଆଇନ୍ର ଧାରା ୩୦୨ ଏବଂ ୨୦୧ରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ ଯେତେବେଳେ ଏହି ରାୟ ଶୁଣାଇଥିଲେ, କୋର୍ଟରୁମରେ କାନ୍ଦି ପକାଇଥିଲେ କର୍ଣ୍ଣେଲ ଏବଂ କହିଥିଲେ ସେ ନିର୍ଦ୍ଦୋଷ ।

୨୦୧୩ ମସିହାର ବହୁଚର୍ଚ୍ଚିତ ଉଷସୀ ପରିଡା ହତ୍ୟା ମାମଲାରେ ପତ୍ନୀହନ୍ତା କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଖୋଦ୍ଧା ଜିଲ୍ଲା ଦୌରାଜଜ । ହତ୍ୟା ଅର୍ଥାତ ଧାରା ୩୦୨ ଅନୁସାରେ ଆଜୀବନ ସଜା ସହିତ ୫୦ହଜାର ଟଙ୍କାର ଜୋରିମାନା ହୋଇଛି । ଏହା ଅନାଦେୟ ରହିଲେ ଆଉ ୬ମାସ ଜେଲ ଭୋଗିବେ କର୍ଣ୍ଣେଲ । ପ୍ରମାଣ ନଷ୍ଟ କରିବା ଅର୍ଥାତ ଧାରା ୨୦୧ରେ ବର୍ଷେ ଜେଲ ଦଣ୍ଡ , ୧୦ହଜାର ଟଙ୍କା ଜୋରିମାନା ରହିଛି । ଏହା ଅନାଦେୟ ରହିଲେ ୨ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଜଜଙ୍କ ରାୟ ଶୁଣିବା ପରେ କୋର୍ଟରେ କାନ୍ଦି ପକାଇଥିଲେ ସୋମନାଥ ପରିଡା । ସେ ନିର୍ଦ୍ଦୋଷ, ତାଙ୍କୁ ଖଲାସ କରାଯାଉ ବୋଲି କହିଥିଲେ କର୍ଣ୍ଣଲ । ତେବେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିଲା ୨୦୧୩ ମସିହା ଜୁନ ମାସରେ । ନୟାପଲ୍ଲୀର ଏନ ଥ୍ରୀ ୱାନ ଏ ବାଇ ଇଲେଭେନ କ୍ୱାର୍ଟରରେ ଘଟିଥିଲା ଏହି ହତ୍ୟାକାଣ୍ଡ । ପତ୍ନୀ ଉଷାସୀ ପରିଡାଙ୍କୁ ୩୦୦ଖଣ୍ଡ କରି ବିଭିନ୍ନ ଜାର ଓ ଟିଫିନରେ ରଖିଥିଲେ କର୍ଣ୍ଣେଲ ।

 

୨୦୧୩ ମସିହା ଜୁନ ୨୨ ତାରିଖ । ହତ୍ୟାକାଣ୍ଡରୁ ପରଦା ହଟିଲା । ନୟାପଲ୍ଲୀର ଏହି ଘରେ ନିଜ ପତ୍ନୀଙ୍କୁ ଖଣ୍ଡ ଖଣ୍ଡ କରି କାଟିଥିଲେ କର୍ଣ୍ଣେଲ । ପ୍ରାୟ ୨୦ ଦିନ ଧରି ସ୍ତ୍ରୀଙ୍କ ମୃତଦେହର ଖଣ୍ଡ ସହିତ ରହିଥିଲେ । ଘଟଣା ସାମନାକୁ ସେତେବେଳେ ଆସିଥିଲା ଯେତେବେଳେ ସାଉଦୀ ଆରବରେ ରହୁଥିବା ଉଷସୀଙ୍କ ଝିଅ ଲେଖା ପରିଡା ମାଙ୍କୁ ଫୋନ କରିଥିଲେ । ହେଲେ ମା ଫୋନ ଉଠାଉନଥିଲେ । ବାରମ୍ବାର ବାପା ଉଠାଉଥିଲେ ଫୋନ । ମାଙ୍କ ବିଷୟରେ ପଚାରିଲେ କହୁଥିଲେ ଯାଇଛନ୍ତି ସମ୍ପର୍କୀୟଙ୍କ ଘରକୁ । ମା ଫୋନ ନଉଠାଇବାରୁ ଝିଅ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି କଥା ଲେଖା ତାଙ୍କ ମାମୁଙ୍କୁ ଜଣାଇଥିଲେ । ମାମୁ ରଂଜନ ସୋମନାଥଙ୍କ ଘରେ ପହଂଚି ନିଜ ଭଉଣୀ ବିଷୟରେ ପଚାରିଥିଲେ । ହେଲେ ସମାନ କଥା ଦୋହରାଇଥିଲେ କର୍ଣ୍ଣେଲ । ତେବେ କଥାରେ ତାଳମେଳ ନରହିବା କାରଣରୁ ପୋଲିସର ସହାୟତା ନେଇଥିଲେ ଲେଖାଙ୍କ ମାମୁ ।

ପୋଲିସ ଯେତେବେଳେ ଏହି ଘରେ ପହଂଚିଥିଲା, ଦୁର୍ଗନ୍ଧରେ ଫାଟି ପଡୁଥିଲା ଘର ଭିତର । ବନ୍ଦ କୋଠରୀ ଭିତରୁ ୨୨ଟି ଷ୍ଟିଲ ଟିଫିନରୁ ମିଳିଥିଲା ଖଣ୍ଡ ଖଣ୍ଡ ମୃତ ଶରୀର । ଗୋଟିଏ ଗୋଡ ଏବଂ ହାଡ ଖଣ୍ଡ ମଧ୍ୟ ଠାବ ହୋଇଥିଲା । ଘଟଣା ସ୍ଥଳରୁ ମିଳିଥିଲା ଛୁରୀ, ଚାପଡ, କରତ, ଗ୍ଲୋବସ, ଗଡ କନା ଏବଂ ରକ୍ତଭିଜା ଟର୍ଚ୍ଚ ଲାଇଟ । ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା, ୨୦ ଦିନ ଆଗରୁ ଉଷସୀଙ୍କୁ ହତ୍ୟା କରାଯାଇଛି । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଖୋଦ୍ଧା ଜିଲ୍ଲା ଦୌରା ଜଜ ଭାରତୀୟ ଦଣ୍ଡବିଧି ଧାରା ୩୦୨ ଓ ୨୦୧ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।