ଉତ୍ତର ପ୍ରଦେଶରେ ଭୋଟିଂ ବେଳେ ଇଭିଏମରେ ତ୍ରୁଟି ! ନିର୍ବାଚନ କମିଶନ କହିଲେ, ଅତ୍ୟଧିକ ଗରମ ଯୋଗୁଁ ଇଭିଏମରେ ଦେଖାଦେଲା ତ୍ରୁଟି

33

କନକ ବ୍ୟୁରୋ :ଉତର ପ୍ରଦେଶ କୈରାନାରେ ୭୩ଟି ବୁଥରେ ଆସନ୍ତାକାଲି ପୁଣି ପଡିବ ଭୋଟ୍। ନୁପୁର ଓ କୈରାନାରେ ଉପନର୍ବାଚନ ବେଳେ ଇଭିଏମରେ ତ୍ରୁଟି ନେଇ ବିବାଦ । ଇଭିଏମ୍ ଓ ଭିଭିପାଟ ନେଇ ପ୍ରଶ୍ନ ଉଠାଇଛନ୍ତି ଉତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଉପନିର୍ବାଚନରେ ଇଭିଏମରେ କାହିଁକି ତ୍ରୁଟି ଦେଖାଗଲା ତାର ତଦନ୍ତ ପାଇଁ ଦାବି କରିଛନ୍ତି ଅଖିଳେଶ । ସେ ଏନେଇ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ବିଜେପି ନିଜ ବିରୋଧୀଂକୁ ମତଦାନରୁ ଦୂରେଇ ରଖିବାକୁ ଜାଣିଶୁଣି ଏପରି କୌଶଳ ଆପଣେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଅଖିଳେଶ । ଅତ୍ୟଧିକ ତାପମାତ୍ରା ଯୋଗୁଁ ଇଭିଏମରେ ତ୍ରୁଟି ଦେଖାଯିବା ନେଇ କମିଶନଙ୍କ ସ୍ପଷ୍ଟୀକରଣ ହାସ୍ୟାସ୍ପଦ ବୋଲି ଅଖିଳେଶ କହିଛନ୍ତି । ଏହାସହ ଆଗକୁ ହେବାକୁ ଥିବା ନିର୍ବାଚନମାନଙ୍କରେ ଇଭିଏମ ବଦଳରେ ବାଲଟ୍ ପେପର ବ୍ୟବହାର କରିବାକୁ ସେ ଯୁକ୍ତି ବାଢ଼ିଛନ୍ତି । ସେପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିର ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ହାରିଯିବା ଭୟରେ ଅଖିଳେଶ ଏପରି ଅଭିଯୋଗ କରୁଛନ୍ତି ବୋଲି ଯୋଗୀ କହିଛନ୍ତି ।