୨୦୧୯ ନିର୍ବାଚନ ପାଇଁ ଉତ୍ତରପ୍ରଦେଶରୁ ଆସିଲା ଇଭିଏମ୍ : ୭୦ଟି କଂଟେନରରେ ଝାରସୁଗୁଡାରେ ପହଁଚିଲା ୩୦ ହଜାରରୁ ଅଧିକ ଭୋଟିଂ ମେସିନ୍

26

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ପହଂଚିଲା ଇଭିଏମ୍ । ଝାରସୁଗୁଡା ସମେତ ୧୩ଟି ଜିଲ୍ଲା ପାଇଁ ୩୦ ହଜାରରୁ ଅଧିକ ଇଭିଏମ୍ ଟ୍ରେନରେ ଆସିଛି । ୭୦ଟି କଂଟେନରରେ ଉତ୍ତର ପ୍ରଦେଶରୁ ଏସବୁ ଇଭିଏମ୍ ଝୁରସୁଗୁଡାରେ ପହଁଚିଛି । ଏଗୁଡିକୁ ଝାରସୁଗୁଡା କଂଟେନର କର୍ପୋରେସନ୍ ୟାର୍ଡରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆସନ୍ତା ୧୭ ତାରିଖ ମଧ୍ୟରେ ଏଗୁଡିକୁ ପଠାଇବାର ଯୋଜନା ରହିଛି । ରାଜ୍ୟ ଉପ ନିର୍ବାଚନ ଅଧିକାରୀ ନୀତିରଂଜନ ସେନ୍ ଇଭିଏମ୍ ଗୁଡିକୁ ପଠାଇବା କାର୍ଯ୍ୟର ତଦାରଖ କରୁଛନ୍ତି । ୟୁପିରୁ ମୋଟ ୨୯ ହଜାର ୨୮୨ଟି ବେଲଟ୍ ୟୁନିଟ୍ ଏବଂ ୩୦ ହଜାର ୯୫୬ଟି କଂଟ୍ରୋଲ ୟୁନିଟ୍ ପହଁଚିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଝାରସୁଗୁଡାରୁ କଟକ, ବରଗଡ, ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ, କେନ୍ଦୁଝର, ସୁବଣ୍ଣପୁର, ବଲାଙ୍ଗୀର, ନୂଆପଡା, ଗଂଜାମ ଓ କଳାହାଣ୍ଡି ଜିଲ୍ଲାକୁ ଇଭିଏମ୍ ପଠାଯିବ । ଅନ୍ୟ ଜିଲ୍ଲା ପାଇଁ ଦିନେ ଦୁଇ ଦିନ ଭିତରେ ବାଲେଶ୍ୱରକୁ ଇଭିଏମ୍ ପହଁଚିବ ।

evm machine
Image Courtesy : http://www.hindustantimes.com

ସେପଟେ ଆସନ୍ତା ବର୍ଷ ପ୍ରାରମ୍ଭରେ ଲୋକସଭା ସହିତ ୧୧ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏକ ସମୟରେ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଏହି ଯୋଜନା ଅନୁଯାୟୀ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯିବ। ସେହିଭଳି ଆସନ୍ତା ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ତିନିଟି ରାଜ୍ୟରେ ନିର୍ବାଚନକୁ ଆଗୁଆ କରାଯିବ। ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ କରିବା ସପକ୍ଷରେ ମତ ଦେଇ ବିଜେପି ଆଜି ଆଇନ୍ କମିସନଙ୍କୁ ପତ୍ର ଲେଖିବା ପରେ ଏହି ଚର୍ଚା ଜୋର ଧରିଛି ବିଜେପିର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖି କହିଛନ୍ତି ଯେ ଏଭଳି ଏକକାଳୀନ ନିର୍ବାଚନ କରିବା ଲାଗି ଦଳ ଭିତରେ ପ୍ରସ୍ତୁତି ଚାଲିଛି। ଏନଡିଏ ଅଂଶୀଦାର ଏବଂ ଏପରିକି ସହଯୋଗୀ ଦଳମାନଙ୍କ ସହିତ ମଧ୍ୟ କଥାବାର୍ତା ଚାଲିଛି। ଯେଉଁସବୁ ରାଜ୍ୟରେ ନିର୍ବାଚନ ଘୁଞ୍ଚିବ ବା ଆଗୁଆ କରାଯିବ ସେଠାରେ ବିଜେପିର ଶାସନ ରହିଛି। ତେଣୁ କେନ୍ଦ୍ର ସରକାରଙ୍କର ଏହି ଯୋଜନାକୁ କାର୍ୟ୍ୟକାରୀ କରିବାରେ ବିଶେଷ ଅସୁବିଧା ହେବ ନାହିଁ।