ଇଭିଏମ୍ ହ୍ୟାକାଥନକୁ କଂଗ୍ରେସ ପ୍ରାୟୋଜିତ କହିଲା ବିଜେପି ! ଟ୍ୟାମ୍ପରିଂ କରି ବିଜେପି ୨୦୧୪ରେ ବିଜୟୀ ହୋଇଥିବା ଆରୋପ୍ ଲଗାଇଥିଲେ ଆଇଟି ଏକ୍ସପର୍ଟ ।

265

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଇଭିଏମ୍ ହ୍ୟାକର ଅଭିଯୋଗ  । ଆମେରିକୀୟ ସାଇବର୍ ଏକ୍ସପର୍ଟ ସୈୟଦ୍ ସୁଜା ୨୦୧୪ ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ଆଣିବା ପରେ ଏହାକୁ ଖଣ୍ଡନ କରିଛନ୍ତି ନିର୍ବାଚନ କମିସନ  । ଅନ୍ୟପଟେ ଲଣ୍ଡନରେ ହୋଇଥିବା ଇଭିଏମ୍ ହ୍ୟାକାଥନକୁ କଂଗ୍ରେସ ପ୍ରାୟୋଜିତ କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ  । ସେପଟେ ଏହାକୁ ନେଇ ବଢ଼ିବାରେ ଲାଗିଛି ବୟାନବାଜୀ  ।

ହ୍ୟାକ୍ ହୋଇନଥିଲା ଇଭିଏମ୍ ମେସିନ୍ । ଜବାବ୍ ରଖିଲେ ନିର୍ବାଚନ କମିସନ । ୨୦୧୪ ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରାଯାଇଥିବର ସାଇବର ଏକ୍ସପର୍ଟ ସୈୟଦ୍ ସୁଜା ଅଭିଯୋଗ ଆଣିବା ପରେ ଏହାକୁ ଖଣ୍ଡନ କରିଛନ୍ତି ନିର୍ବାଚନ ଆୟୋଗ  । ଆୟୋଗ କହିଛନ୍ତି ବିଇଏଲ୍ ବା ଭାରତ ଇଲେକଟ୍ରନିକ୍ସ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ଇଭିଏମକୁ ନିର୍ବାଚନରେ ବ୍ୟବହାର କରାଯାଇଥାଏ ଓ ବିଭିନ୍ନ ପ୍ରକାର ପରୀକ୍ଷା ପରେ ଇଭିଏମକୁ ହ୍ୟାକ୍ କରାଯାଇପାରିବ ନାହିଁ ବୋଲି ଏକ୍ସପର୍ଟ ଏକମତ । ସେପଟେ ଇଭିଏମ୍ ହ୍ୟାକର ଅଭିଯୋଗ ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଆରୋପ୍ ପ୍ରତ୍ୟାରୋପ  ।

ଦେଖିବା କ’ଣ କହିଥିଲେ ସୈୟଦ୍ ସୁଜା ?

– ୨୦୧୪ ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରାଯାଇଥିଲା  ।

– ଇଭିଏମ୍ ଟ୍ୟାମ୍ପରିଂ ବିଷୟରେ ଜାଣିଥିବାରୁ ଗୋପୀନାଥ ମୁଣ୍ଡେଙ୍କୁ ହତ୍ୟା କରାଯାଇଥିଲା  ।

– ଇଭିଏମ୍ ଟ୍ୟାମ୍ପରିଂ ସମ୍ପର୍କିତ ଖବର ସାମ୍ବାଦିକ ଗୌରୀ ଲଙ୍କେଶ୍ ଛାପିବାକୁ ଥିବାରୁ ତାଙ୍କୁ ମଧ୍ୟ ରାସ୍ତାରୁ ହଟାଇ ଦିଆଯାଇଥିଲା  ।

– କେବଳ ବିଜେପି ନୁହେଁ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଆମ ଆଦମି ପାର୍ଟି ମଧ୍ୟ ଇଭିଏମ ଟ୍ୟାମ୍ପରିଂରେ ସଂପୃକ୍ତ  ।

– ଇଭିଏମ୍ ହ୍ୟାକ୍ କରି ବିଜେପି ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନ ଜିତିବାକୁ ଚେଷ୍ଟା କରିଥିଲା କିନ୍ତୁ ଏହାକୁ ଆମ ଟିମ୍ ବିଫଳ କରିଥିଲା  ।

ନିର୍ବାଚନ ପରେ ଓ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ପାଇଁ ଇଭିଏମ୍ ଟ୍ୟାମ୍ପରିଂ ସବୁବେଳେ ଏକ ଅସ୍ତ୍ର ହୋଇ ରହିଆସିଥିବା ବେଳେ ଏବେ ହ୍ୟାକ୍ ଅଭିଯୋଗ ଆଣିଛନ୍ତି ହ୍ୟାକର୍  । ଏହାକୁ ନିର୍ବାଚନ କମିସନ୍ ଖଣ୍ଡନ କରିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ତାତି କିନ୍ତୁ ଥମିବାର ନାଁ ନେଉଁନାହିଁ  ।