ଆଗାମୀ ସାଧାରଣ ନିର୍ବାଚନ ଉପରେ ଫୋକସ୍ : ଇଭିଏମ ବଦଳରେ ବାଲାଟ ପେପର ବ୍ୟବହାର କରିବା ପାଇଁ ଦାବି କଲେ ୧୭ବିରୋଧୀ ଦଳର ନେତା

49

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନରେ ଇଭିଏମ ବିପକ୍ଷରେ ୧୭ ଦଳ ଯୁକ୍ତି ବାଢିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ଇଭିଏମ୍ ବଦଳରେ ବ୍ୟାଲଟ୍ ପେପରରେ କରାଯିବାକୁ ଦାବି କରି ୧୭ଟି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ଏହି ଦଳଗୁଡ଼ିକ ନିର୍ବାଚନ କମିସନଙ୍କୁ ଭେଟି ଦାବି ଉପସ୍ଥାପନ କରିବେ। ନିର୍ବାଚନ କମିସନ ଇଭିଏମ୍ ବ୍ୟବସ୍ଥା ପ୍ରତ୍ୟାହାର ନକଲେ ଆନ୍ଦାଳନ କରାଯିବା ପାଇଂ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କେତେକ ବିରୋଧୀ ଦଳ ଚେତାବନୀ ଦେଇଛନ୍ତି।

 

ବ୍ୟାଲଟ୍ ପେପରରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବାକୁ ନିର୍ବାଚନ କମିସନଙ୍କ ଉପରେ ଚାପ ସୃଷ୍ଟି କରାଯିବ ଏବଂ ଭାରତୀୟ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏହା ଜରୁରୀ ବୋଲି  ଟିଏମସି ନେତା ଡେରେକ୍ ଓବ୍ରେନ୍ କହିଛନ୍ତି। ଏ ନେଇ ବିରୋଧୀ ଦଳଗୁଡ଼ିକର ନେତୃତ୍ୱ ଟିଏମସି ନେବ ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ବିରୋଧୀ ଦଳ ନେତାମାନଙ୍କ ସହିତ ଏ ବାବଦରେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା କରିସାରିଛନ୍ତି। ନିକଟରେ ସମାଜବାଦୀ ପାର୍ଟିର ଜାତୀୟ କାର୍ୟ୍ୟକାରିଣୀ ବୈଠକରେ ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ବ୍ୟାଲଟ ପେପରରେ ନିର୍ବାଚନ କରାଯିବାକୁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ।

 

ଦଳର ବରିଷ୍ଠ ନେତା ରାମଗୋପାଳ ଯାଦବ କହିଥିଲେ ଯେ ନିର୍ବାଚନ କମିସନ ଏ ଦିଗରେ ଗୁରୁତ୍ୱର ସହ ଚିନ୍ତା କରିବା ଆବଶ୍ୟକ। କମିସନ ଏ ବାବଦରେ ପଦକ୍ଷେପ ନନେଲେ ଦଳ କମିସନଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଦେବ ବୋଲି ମଧ୍ୟ ସେ କହିଥଲେ। ଏବେ ଏହି ଦାବି ନେଇ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ଆମ୍ ଆଦମି ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଓ୍ଵାଇଏସ୍ଆର କଂଗ୍ରେସ ହାତ ମିଳାଇଛନ୍ତି। ଏହା ବ୍ୟତୀତ ଜେଡିଏସ୍, ଡିଏମକେ, ଟିଡିପି, ଶିବସେନା ଏବଂ ବାମଦଳମାନେ ମଧ୍ୟ ବ୍ୟାଲଟ୍ ପେପରରେ ନିର୍ବାଚନ କରାଇବାକୁ ପୂର୍ବରୁ ଦାବି କରିଛନ୍ତି। ତେବେ ଭାରତରେ ସମସ୍ତ ନିର୍ବାଚନରେ ଇଭିଏମରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଥାଏ । ତେଣୁ ତାହାକୁ ବିରୋଧ କରାଯାଉଥିବା ନେତାମାନେ କହିଛନ୍ତି । ଭାରତରେ ଆଗାମୀ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ତେଣୁ ତାହାର ଯଥେଷ୍ଟ ପୂର୍ବରୁ ବିରୋଧୀମାନେ ନିର୍ବାଚନ କମିଶନଙ୍କୁ ଭେଟି ଇଭିଏମ ବଦଳରେ ବାଲାଟ ପେପରରେ ନିର୍ବାଚମନ କରିବାକୁ ଦାବି କରିଛନ୍ତି ।