କ’ଣ ଏହି ଆୟୁଷ୍ମାନ ଭାରତ ଯୋଜନା ? କ’ଣ ରହିଛି ଏହାର ଆବଶ୍ୟକତା ଜାଣିରଖନ୍ତୁ ।

396

ସେପ୍ଟେମ୍ବର ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଖଣ୍ଡର ରାଜଧାନୀ ରାଞ୍ôଚର ପ୍ରଭାତତାରା ମଇଦାନରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କଲେ । ସରକାରଙ୍କ କହିବାନୁସାରେ ଏହା ଦୁନିଆର ସବୁଠାରୁ ବଡ ହେଲଥ କେୟାର୍ ଯୋଜନା,ଯେଉଁଥିରେ ୫୦ କୋଟି ଲୋକଙ୍କୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କାର ସହାୟତା ମିଳିବ । ତେବେ କିଛି ଲୋକଙ୍କୁ ଏହାର ଲାଭ ବିଷୟରେ ଜ୍ଞାତ ନଥିବ । ତେଣୁ ଆଜି ଆମେ ଆପଣଙ୍କୁ ଏହି ଯୋଜନାର ଫାଇଦା ବିଷୟରେ ସୁଚିତ କରାଇବୁ ।

୧. କ’ଣ ଏହି ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ?

କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଏହି ଯୋଜନାରେ ଦେଶରେ ପ୍ରାୟ ଦେଢ ଲକ୍ଷ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଲଥ ଏବଂ ୱେଲନେସ୍ ସେଣ୍ଟରକୁ ବିକଶିତ କରାଯିବ । ଜିଲ୍ଲା ହସ୍ପିଟାଲରୁ ଏହା ଡିଜିଟାଲ୍ ଭାବରେ ଲିଙ୍କ୍ ହେବ । ଏହି ସେଣ୍ଟରେ ଜାଞ୍ଚ୍ ସମେତ ଔଷଧ ମଧ୍ୟ ମାଗଣାରେ ମିଳିବ । ଆୟୁଷ୍ମାନ ଭାରତ ଯୋଜନାର ପ୍ରମୁଖ ଅଂଶ ହେଉଛି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଯେଉଁଥିରେ ଦେଶର ୧୦.୭୪ କୋଟି ପରିବାରର ସ୍ୱାସ୍ଥ୍ୟ ସେବା ପାଇଁ ୫ ଲକ୍ଷ ଟଙ୍କାର ସୁବିଧା ଯୋଗାଇ ଦିଆଯିବ ।

୨. ଏହି ଯୋଜନାର କ’ଣ ଆବଶ୍ୟକତା ରହିଛି ?

ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଏବଂ ଆୟୁଷ୍ମାନ ଭାରତର ସିଇଓ ଡା.ଇନ୍ଦୁ ଭୁଷଣଙ୍କ କହିବା ମୁତାବକ, ଭାରତ ସରକାର ପ୍ରତିବର୍ଷ ସ୍ୱାସ୍ଥ୍ର‌୍ୟ ଉପରେ ୧.୧୩ % ଜିଡିପି ଖର୍ଚ୍ଚ କରନ୍ତି,ଯାହା ଅନ୍ୟ ବିକାଶଶୀଳ ଦେଶ ପାଇଁ କମ୍ ହୋଇଥାଏ । ଚୀନ୍ ନିଜ ଜିଡିପିର ୨.୪୫ % ଏବଂ ଥାଇଲ୍ୟାଣ୍ଡ ୨.୯୦ % ସ୍ୱାସ୍ଥ୍ର‌୍ୟସେବାରେ ଲଗାଏ । ମହଙ୍ଗା ଚିକିତ୍ସା ପାଇଁ ଭାରତର ୬୬ ଲକ୍ଷ ପରିବାର ପ୍ରତିବର୍ଷ ଗରବ ସୀମାରେଖା ତଳେ ଆସିଯାନ୍ତି । ୨୪.୯ %ଗ୍ରାମୀଣ ଏବଂ ୧୮.୨% ସହର ଋଣ କରି ନିଜ ଚିକିତ୍ସା କରାନ୍ତି । ଭାରତର ପ୍ରାୟ ୧୭.୩% ଲୋକ ନିଜ ଆୟର ୧୦ ପ୍ରତିଶତ ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି । କେନ୍ଦ୍ର ସରକାର ୨୦୧୮-୧୯ ବଜେଟରେ ଏହି ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଛି । ଯୋଜନାର ମୋଟ ଖର୍ଚ୍ଚରେ ୬୦ % କେନ୍ଦ୍ର ସରକାର ଏବଂ ୪୦ % ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ ।

୩. ଏହି ଯୋଜନା ପାଇଁ ସରକାର କ’ଣ କରିଛନ୍ତି?

ସରକାର ଏହି ଯୋଜନାରେ ୧୦.୩୪ କୋଟି ପରିବାର ଅର୍ଥାତ୍ ୫୦ କୋଟି ଲୋକଙ୍କୁ ସାମିଲ କରିଛି । ଏହି ପରିବାରରେ କାହାର ଯଦି ସ୍ୱାସ୍ଥ୍ର‌୍ୟ ସମ୍ବନ୍ଧୀୟ କିଛି ଅସୁବିଧା ଉପୁଜେ ତେବେ ସରକାରଙ୍କ ତରଫରୁ ଏଥିପାଇଁ ୫ ଲକ୍ଷ ଟଙ୍କାର ସାହାଯ୍ୟ ମିଳିବ । ଯୋଜନା ମୁତାବକ,ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ନେଇ ୧୫ ଦିନ ପର୍ଯ୍ୟନ୍ତର ଔଷଧ ଏବଂ ଚିକିତ୍ସାର ଖର୍ଚ୍ଚ ସରକାର ବହନ କରିବେ । ଯଦି କୌଣସି ବ୍ୟକ୍ତି ପୂର୍ବରୁ ରୋଗରେ ପୀଡିତ ଥିବେ ତେବେ ଏହି ଯୋଜନାର ଫାଇଦା ତାଙ୍କୁ ମିଳିବ ।

୪. କାହାକୁ ଏହି ଯୋଜନାର ଫାଇଦା ମିଳିବ?

ଗରିବ,ଗ୍ରାମିଣ ପରିବାର ଏବଂ ସହରର ଶ୍ରମିକ ଶ୍ରେଣୀର ପରିବାରକୁ ଏହି ଯୋଜନାର ଫାଇଦା ମିଳିବ । ଜନଗଣନା ଆଧାରରେ ଏବେ ପର୍ଯ୍ୟନ୍ତ ୮.୦୩% ଗ୍ରାମୀଣ ଏବଂ ୨.୩୩% ସହର ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଛି । ଜନଗଣନାର ଆଧାର ଅନୁସାରେ ପରିବାରର ଚୟନ କରାଯାଇଛି । ଗାଁରେ ୭ ପ୍ରତିଶତ ଲୋକ ଚୟନ କରାଯାଇଥିବା ବେଳେ ସହରରେ ୧୧ ପ୍ରତିଶତ ଲୋକଙ୍କ ନାଁ ରହିଛି । ଏହି ଲୋକଙ୍କ ମଧ୍ୟରେ କବାଡିବାଲା,ଭିକାରୀ,ଫୁଟପାଥରେ ରହୁଥିବା ଲୋକ, ମୋଚୀ, ଫେରିବାଲା, ଶ୍ରମିକ, ଦିନମଜୁରିଆ, ପ୍ଲମ୍ବର, ରାଜମିସ୍ତ୍ରୀ, ପେଣ୍ଟର, ସିକ୍ୟୁରିଟି ଗାର୍ଡ, କୁଲି, ସଫେଇ କର୍ମୀ ମଧ୍ୟ ସାମିଲ ଅଛନ୍ତି । ଯେଉଁ ଲୋକମାନେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ଫାଇଦା ଉଠାଉଛନ୍ତି,ସେମାନେ ଏହି ଯୋଜନାର ମଧ୍ୟ ଫାଇଦା ଉଠାଇପାରିବେ ।

୫. କିଭଳି ଜାଣିବେ ଆପଣଙ୍କ ନାଁ ଏହି ତାଲିକାରେ ଅଛି କି ନାହିଁ ?

ଏହି ଯୋଜନାରେ ପରିବାରର ସଦସ୍ୟ ସଂଖ୍ୟା ତଥା ତାଙ୍କ ବୟସର କୌଣସି ବାଧ୍ୟତା ନାହିଁ । ୨୦୧୧ ଜନଗଣନା ଅନୁସାରେ ଯିଏ ଗରିବଣ୍ରେଣୀରେ ଅନ୍ତର୍ଭୁକ୍ତ ଥିବେ ସେ ଏହି ଯୋଜନାରେ ଆସିବେ । ତେବେ ଏହି ତାଲିକାରେ ଆପଣଙ୍କ ନାଁ ଅଛି ନାଁ ନାହିଁ ଏଥିପାଇଁ ୩ ଟି ପ୍ରକ୍ରିୟାରେ ଆପଣ ଜାଣିପାରିବେ । ପ୍ରଥମଟି ହେଲା ଯୋଜନାର ୱେବସାଇଟ୍ ଯାହାର ନାଁ mera.pmjay.gov.in.। ଏହି ଯୋଜନାର ହୋମପେଜ୍ ରେ ‘PM Jan Arogya Yojana’ ର ବାକ୍ସ ମିଳିବ । ଏଥିରେ ଆପଣ ଆପଣଙ୍କ ଫୋନ୍ ନମ୍ବର ଦିଅନ୍ତୁ । ଆପଣଙ୍କ ଫୋନରେ ଓଟିପି ଆସିବ । ଏହି ଓଟିପି ଆପଣ ୱେବସାଇଟ୍ ରେ ପକାଇ ଜାଣିପାରିବେ ଯେ ଆପଣଙ୍କ ନାଁ ତାଲିକାରେ ଅଛି କି ନାହିଁ ।

୬. କେଉଁ କେଉଁ ରୋଗର ଚିକିତ୍ସା ହେବ ?

ସରକାରଙ୍କ କହିବାନୁସାରେ ଏହି ଯୋଜନା ଅନ୍ତର୍ଗତ ୧୩୦୦ ପ୍ୟାକେଜ୍ ଅଛି,ଯେଉଁଥିରେ କ୍ୟାନ୍ସର ସର୍ଜରୀ, କେମୋଥେରାପି, ରେଡିଏଶନ୍ , ବାଇପାସ୍ ସର୍ଜରୀ, ନ୍ୟୁରୋ ସର୍ଜରୀ, ମେରୁଦଣ୍ଡ ସର୍ଜରୀ, ଦାନ୍ତ ସର୍ଜରୀ, ଆଖି ସର୍ଜରୀ ଏବଂ ଏମଆରଆଇ, ସିଟି ସ୍କାନ୍ ଭଳି ଜାଞ୍ଚ୍ ମଧ୍ୟ ସାମିଲ ଅଛି ।