ପିଲା ଓ ଅଭିଭାବକଙ୍କୁ ସଚେତନ କରାଇବେ ପାରମ୍ପରିକ କଳାକାର : ରାଜ୍ୟ ସରକାରଙ୍କ ‘ସବୁଦିନ ଯିବା ସ୍କୁଲ୍’ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଯୋଜନା

42

କନକ ବ୍ୟୁରୋ : ସ୍କୁଲ୍ ଯିବାକୁ ପିଲାଙ୍କୁ ବୁଝାଇବେ କଳାକାର। ପିତାମାତାଙ୍କୁ ବି ସଚେତନ କରାଇବେ। ଗାଁ ଗାଁ ବୁଲି ଏଭଳି ସଚେତନତା ସୃଷ୍ଟି କରିବେ ପାରମ୍ପରିକ କଳାକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଦ୍ୟାଳୟ ଉପସ୍ଥାନ ଅଭିଯାନ ‘ସବୁଦିନ ଯିବା ସ୍କୁଲ୍’ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଏପରି ଯୋଜନା କରାଯାଇଛି।

ୟୁନିସେଫ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭିଖଲଖାଗାରରେ ଏନେଇ ଲୋକକଳା କଳାକାରଙ୍କୁ ତାଲିମ୍ ଦେବା ଆରମ୍ଭ ହୋଇଛି । ପ୍ରାଥମିକସ୍ତରରେ ସ୍କୁଲ୍ ପିଲାଙ୍କ ମଧ୍ୟରେ ନିୟମିତ ଉପସ୍ଥାନ ହାର ବୃଦ୍ଧି କରିବା ଏବଂ ଛାତ୍ରଛାତ୍ରୀମାନେ କିଭଳି ସବୁଦିନ ସ୍କୁଲ୍ ଯିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେନେଇ ବିଭିନ୍ନ କୌଶଳ ଆପଣେଇବାକୁ ବିଭିନ୍ନ ଲୋକକଳା ଦଳକୁ ତାଲିମ୍ ଦିଆଯାଇଛି । ଏହି ଅବସରରେ କଳାକାର ଓ ସେମାନଙ୍କ ଦଳ ମୁଖିଆଙ୍କ ସହ ଆଲୋଚନା ହୋଇଥିଲା । ପ୍ରଶିକ୍ଷକମାନେ ପାୱାର୍ପଏଣ୍ଟ୍ ଉପସ୍ଥାପନ କରି ବିଭିନ୍ନ କୌଶଳ ବତାଇଥିଲେ ।

ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କଳା ସଂସ୍କୃତି ସଂଘର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶକ ସଂଘମିତ୍ରା ଶତପଥୀ, ୟୁନିସେଫ୍ର ପରାମର୍ଶଦାତା ମଞ୍ଜରୀ ଶାହା, ଲୋପାମୁଦ୍ରା ତ୍ରିପାଠୀ, ରୁଦ୍ରପ୍ରସନ୍ନ ରଥ ପ୍ରମୁଖ ପ୍ରଶିକ୍ଷଣ ପୂର୍ବ ସଭାରେ ଉପସ୍ଥିତ ରହି ଉପାଦେୟ କଥା କହିଥିଲେ । ସଂସ୍କୃତି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ କାର‌୍ୟ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ବୁଝାଇଥିଲେ ।