ବନ୍ଦ ହେବ ବେତନ ଆୟୋଗ ଗଠନ ! ପ୍ରତି ବର୍ଷ ବଢ଼ିବ ସରକାରୀ କର୍ମଚାରୀଙ୍କ ଦରମା

44

କନକ ବ୍ୟୁରୋ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ଏଣିକି ପ୍ରତିବର୍ଷ ବଢ଼ିବା ସମ୍ଭାବନା ରହିଛି। ପ୍ରତିବର୍ଷ କର୍ମଚାରୀଙ୍କ ବେତନ ବଢ଼ାଇବା ସଂକ୍ରାନ୍ତରେ ସରକାର ଏକ କମିଟି ଗଠନ କରିବେ । ପ୍ରତିବର୍ଷ ବେତନ ବୃଦ୍ଧି କରିବା କେତେଦୂର ଯୁକ୍ତିସଙ୍ଗତ ତାହା ଏହି କମିଟି ଅନୁଧ୍ୟାନ କରିବ । ଅର୍ଥ ମନ୍ତ୍ରାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସରକାର ବେତନ ଆୟୋଗ ପରମ୍ପରାରେ ପୂର୍ଣ୍ଣଛେଦ ପକାଇବାକୁ ଆଗ୍ରହୀ ଅଛନ୍ତି । ଏଥିସହିତ ସରକାର ଏହା ମଧ୍ୟ ଚାହାନ୍ତି ଯେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ୧୦ ବର୍ଷରେ ଥରେ ନବଢ଼ି ପ୍ରତିବର୍ଷ ବଢ଼ୁ । ଏଥିଲାଗି ଏକ ମାନଦଣ୍ଡ ମଧ୍ୟ ପ୍ରସ୍ତୁତ କରାଯିବ ।

ସପ୍ତମ ବେତନ ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ଏ. କେ. ମାଥୁର ତାଙ୍କ ସୁପାରିସରେ ଏହା ମଧ୍ୟ କହିଛନ୍ତି ଯେ, ବେତନ ଆୟୋଗ ଗଠନ କରି ସରକାରୀ କର୍ମଚାରୀଙ୍କ ଦରମା ପ୍ରତି ୧୦ ବର୍ଷରେ ଥରେ ବଢ଼ାଇବା ପରିବର୍ତ୍ତେ ପ୍ରତିବର୍ଷ ଦରମା ବୃଦ୍ଧି କରିବା ଭଲ ହେବ । ଏଥିଯୋଗୁଁ ସରକାର ଏ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଆଗ୍ରହୀ ଅଛନ୍ତି । ଅର୍ଥ ମନ୍ତ୍ରାଳୟର ଅଧିକାରୀଙ୍କ କହିବାନୁଯାୟୀ ଏହି ମାମଲାରେ ଅନ୍ୟ ମନ୍ତ୍ରାଳୟ ସମେତ ରାଜ୍ୟ ସରକାରଙ୍କ ମତାମତ ମଗାଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ବଢ଼ିଲେ ରାଜ୍ୟ ସରକାରଙ୍କୁ ସେମାନଙ୍କ କର୍ମଚାରୀଙ୍କ ବେତନ ବଢ଼ାଇବାକୁ ପଡ଼ିବ ।

କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଓ୍ଵାର୍କର ମହାସଂଘର ସଭାପତି କେ. କେ. ଏନ୍‌. କୁଟ୍ଟି କୁହନ୍ତି ଏହାଦ୍ୱାରା ସରକାର କର୍ମଚାରୀଙ୍କ ବେତନ ଶୀଘ୍ର ବୃଦ୍ଧି କରିବାକୁ ଆଗ୍ରହୀ ଥିବା ବିଷୟ ଜଣାପଡ଼ୁଛି । କିନ୍ତୁ ବେତନ ବୃଦ୍ଧିର ସ୍ୱରୂପ କଣ ରହିବ, ବେତନ କେଉଁ ଆଧାରରେ ବଢ଼ିବ ସେ ସମ୍ପର୍କରେ ସରକାର କିଛି ସ୍ପଷ୍ଟ କରିନାହାନ୍ତି । ଯେବେ ଏ ସମ୍ପର୍କରେ ଆଲୋଚନା ପାଇଁ ସରକାର ଡାକିବେ ସେହି ସମୟରେ ବେତନ ବୃଦ୍ଧିର ସୂତ୍ର କଣ ରହିବ ତାହାକୁ ଦେଖି ଯାହା କିଛି ନିଷ୍ପତ୍ତି ନେବୁ ବୋଲି ଶ୍ରୀ କୁଟ୍ଟି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରତି ୧୦ ବର୍ଷରେ ଥରେ ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି କରିବା ଦ୍ୱାରା ସରକାରଙ୍କ ଉପରେ ବଡ଼ ଧରଣର ଆର୍ଥିକ ବୋଝ ପଡ଼ୁଛି । ସପ୍ତମ ବେତନ ଆୟୋଗ ଲାଗୁ ସମୟରେ ରାଜକୋଷ ଉପରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଝ ପଡ଼ିଥିଲା ।

ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ଏକ ମୁଦ୍ରାସ୍ଫୀତି ବାସ୍କେଟ ବା ଝୁଡ଼ି ପ୍ରସ୍ତୁତ ହୋଇପାରେ। ଏହି ଝୁଡ଼ିରେ ସମସ୍ତ ପ୍ରକାର ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ, କପଡ଼ା, ପରିବହନ, ଘର ଭଡ଼ା ଏବଂ ଅନ୍ୟ ବସ୍ତୁ ସମ୍ପର୍କିତ ମୁଦ୍ରାସ୍ଫୀତି ସୂଚୀ ପ୍ରସ୍ତୁତ ହେବ। ଏହି ସୂଚୀକୁ ଆଧାର କରି କେନ୍ଦ୍ର କର୍ମଚାରୀଙ୍କ ବେତନ ବୃଦ୍ଧି ହେବ । ମୁଦ୍ରାସ୍ଫୀତିରେ କେଉଁ ବସ୍ତୁର ଗୁରୁତ୍ୱ କେତେ ରହିବ ତାହା କମିଟି ନିର୍ଦ୍ଧାରଣ କରିବ । ଏହି ସୂଚୀରେ ବିଭିନ୍ନ ସାମଗ୍ରୀର ଭିନ୍ନ ଭିନ୍ନ ଅଂଶ ରହିବ । ଯେଉଁ ହାରରେ ମୁଦ୍ରାସ୍ଫୀତି ସୂଚୀରେ ବୃଦ୍ଧି ଘଟିବ ସେହି ଅନୁପାତରେ ବେତନ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇପାରେ ।