ଆସନ୍ତାକାଲିଠାରୁ ଓଡିଆ ଭାଷାରେ ହେବ ସମସ୍ତ ସରକାରୀ କାମ : ମୁଖ୍ୟ ଶାସନ ସଚିବ ଏନେଇ ଦେଲେ ସୂଚନା

80

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଆକୁ ସରକାରୀ ଭାଷା କରିବା ନେଇ ଦୀର୍ଘ ଦିନର ପ୍ରୟାସ ନିର୍ଣ୍ଣାୟକ ମୋଡ ନେଇଛି । ରାଜ୍ୟ କ୍ୟାବିନେଟ୍ ଓଡିଆକୁ ସରକାରୀ ଭାଷା କରିବା ନେଇ ପ୍ରସ୍ତୁତ ନିୟମାବଳୀକୁ ମଂଜୁରୀ ଦେଇଛନ୍ତି । ଆସନ୍ତାକାଲିଠାରୁ ଓଡିଆ ଭାଷାରେ ହେବ ସମସ୍ତ ସରକାରୀ କାମ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

ଆସନ୍ତାକାଲିଠାରୁ ଓଡିଆରେ ହେବ ସରକାରୀ କାମ। ସମସ୍ତ ପ୍ରକାର ସରକାରୀ ଦଲିଲ ଓଡିଆ ଭାଷାରେ ଲେଖା ହେବ । ସରକାରୀ ସ୍ତରରେ ଓଡିଆ ଭାଷା ବ୍ୟବହାର କରିବା ନେଇ ବାଧ୍ୟତାମୂଳକ କରାଯାଇଛି । ତେବେ ସରକାରୀ ଭାଷା ଆଇନକୁ ରାଜ୍ୟ କ୍ୟାବିନେଟରେ ମଂଜୁରୀ ମିଳିବା ପରେ ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବେ ସରକାରୀ କାଗଜ କଲମ କାମ ଓଡିଆ ଭାଷାରେ କରାଯିବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗରେ ଏକ ଡିଭିଜନ ଖୋଲା ଯିବ। ଏହାସହ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଗଠନ କରାଯିବ ।

ଓଡିଆ ଭାଷାର କାର୍ଯ୍ୟକାରୀତା ନେଇ ଏହି କମିଟି ପ୍ରତି ୬ ମାସରେ ତର୍ଜମା କରିବ । ଏହି ଅଧ୍ୟାଦେଶକୁ କାର୍ଯ୍ୟକାରୀ ନକଲେ ସମ୍ପୃକ୍ତ ଅଫିସରଙ୍କୁ ଦଣ୍ଡଦେବା ନେଇ ନିୟମାବଳୀରେ ବ୍ୟବସ୍ଥା ରହିବ । ତେବେ ଏବେ ସୁଦ୍ଧା ନିୟମାବଳୀକୁ ଚୂଡାନ୍ତ ରୂପ ନଦିଆଯିବାରୁ ଓଡିଆ ଭାଷା କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠୁଛି ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରାଇବା ପାଇଁ ଦାବି କରିଛି ଭାଷା ସୁରକ୍ଷା ସଂଗ୍ରାମ ସମିତି ।