ଏଣିକି ହାତ ପାଆନ୍ତାରେ ମିଳିବ ସରକାରୀ ସୁବିଧା : ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର, ଘରେ ବସି ଅନଲାଇନରେ ପାଇପାରିବେ ସବୁ ସୁବିଧା

990

କନକ ବ୍ୟୁରୋ : ଏଣିକି ସାଧାରଣ ଲୋକଙ୍କୁ ସରକାରୀ ଅଫିସକୁ ଦଉଡିବାକୁ ପଡିବ ନାହିଁ । ଘରେ ବସି ଅନଲାଇନ ଜରିଆରେ ସମସ୍ତ ସରକାରୀ କାର୍ଯ୍ୟକୁ ସାଧାରଣ ଜନତା କରିପାରିବେ । ଏ ସଂକ୍ରାନ୍ତରେ ଆଜି ବିଧାନସଭାରେ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ନବୀନ କହିଛନ୍ତି, ଆସନ୍ତା ଅଗଷ୍ଟ ୧୫ରୁ ସରକାରୀ କାର୍ଯ୍ୟ ପାଇଁ ଆଉ ସରକାରୀ ଅଫିସକୁ ଦଉଡିବାକୁ ପଡିବ ନାହିଁ । ଲୋକଙ୍କୁ ଦୁଆର ମୁହଁରେ ସରକାରୀ ସୁବିଧା ଯୋଗାଇବାକୁ ଘୋଷଣା କରାଯାଇଛି ।

ଘୋଷଣା ଅନୁସାରେ, ଅନଲାଇନ ସର୍ଭିସ୍ ଅବା କମନ୍ ସର୍ଭିସ ସେଂଟର କିମ୍ବା ଡୋର୍ ଡେଲିଭରୀ ଜରିଆରେ ଲୋକଙ୍କୁ ସରକାରୀ ବ୍ୟବସ୍ଥାର ସୁଫଳ ମିଳିପାରିବ । ସେହିଭଳି ଏପ୍ରିଲ ୧ରୁ ବ୍ୟାଙ୍କ ଜରିଆରେ ସମସ୍ତ ଭତ୍ତା ପ୍ରଦାନ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତା ମାର୍ଚ୍ଚ ୫ ସୁଦ୍ଧା ସମସ୍ତ ସରକାରୀ ବିଭାଗକୁ ମୋ ସରକାର ଅଧୀନକୁ ଆଣିବାକୁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି । ଫାଇଭ୍-ଟି ଆଧାରରେ ନୂଆ ରୂପରେ ନେବ ରାଜ୍ୟର ପ୍ରଶାସନିକ କାମ । ଫଳରେ ସରକାରୀ କାର୍ଯ୍ୟ ପାଇଁ ଲାଇନ ଲଗାଉଥିବା ଲୋକଙ୍କୁ ଏଥିରୁ ମୁକ୍ତି ମିଳିବ ବୋଲି ଅନୁମାନ କରାଯାଉଛି ।