ପାକିସ୍ତାନକୁ ଉଚିତ ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ସବୁବେଳେ ପ୍ରସ୍ତୁତ ଥିବା କହିଲେ ମାର୍ଶଲ ବୀରେନ୍ଦ୍ର ସିଂହ ଧାନୋଆ

230
କନକ ବ୍ୟୁରୋ : ଆତଙ୍କବାଦୀଙ୍କ ଆକ୍ରମଣର ମୁକାବିଲା କରିବା ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ବୋଲି ମାର୍ଶଲ ବୀରେନ୍ଦ୍ର ସିଂହ ଧାନୋଆ କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାରମ୍ବାର ଯେପରି ଭାବରେ ଭାରତ ଉପରେ ଆକ୍ରମଣ ହେଉଛି ତାହାର ଜବାବ ଦେବାର ଆବଶ୍ୟକତା ରହିଛି । ପାକିସ୍ତାନକୁ ଉଚିତ ଯବାବ ଦେବା ପାଇଁ ବାୟୁସେନା ପାଖରେ ଯଥେଷ୍ଟ ଶକ୍ତି ଥିବା ମାର୍ଶଲ କହିଛନ୍ତି । ପୁଲୱାମାରେ ଭାରତୀୟ ସେନା ଉପରେ ହୋଇଥିବା ଆକ୍ରମଣରେ ୪୪ ଜଣଙ୍କ ଯବାନ ସହିଦ ହୋଇଛନ୍ତି । ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ସାରା ଦେଶରେ ଆତଙ୍କବାଦୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜୋରଦାର ଦାବି କରାଯାଉଛି । କେବଳ ଯେ ଦାବି କରାଯାଉଛି ତାହା ନୁହେଁ ଅନେକ ସ୍ଥାନରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ଚାପ ପକାଯାଉଥିବା ଜଣାପଡିଛି ।
ବର୍ତମାନ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଥିବା କଥା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏତେ ସଂଖ୍ୟାରେ କେବେ ପୂର୍ବରୁ ଯବାନମାନେ ସହିଦ ହୋଇନଥିଲେ । ସିଆରପିଏଫ ମଧ୍ୟ ଏହି ଘଟଣାର ପ୍ରତିଶୋଧ ନେବ ବୋଲି କହିଛି । ଏହାସହ ସେ କହିଛି ଯେ, ଆମେ ଏହି ଘଟଣାକୁ ଭୁଲି ପାରିବୁ ନାହିଁ କି କାହାକୁ କ୍ଷମା ମଧ୍ୟ କରିବୁ ନାହିଁ । ଏହାରି ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିଥିବା ସୂଚନା ମିଳିଛି । କେବଳ ବାୟୁସେନା ମୁଖ୍ୟ ନୁହେଁ ବରଂ ସ୍ଥଳସେନା ମଧ୍ୟ ଏହି ଘଟଣାରେ ଆତଙ୍କବାଦୀଙ୍କ ଉପରେ ପ୍ରିତିଶୋଧ ନେବା ପାଇଁ କହିଛି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସେନାର ବୈଠକ ଚାଲିଥିବା ସମୟରେ ମାର୍ଶଲ କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ଅନେକ ଥର ଭାରତ ଉପରେ ଆକ୍ରମଣ ହୋଇଛି । ତେଣୁ ଭାରତ ଉପରେ ଆକ୍ରମଣ କଲେ ତାହାର କମ ପରିଣାମ ହୁଏ ତାହା ଜଣାଇ ଦେବା ପାଇଁ ପଡିବ । ଏହାସହ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକସ୍ତାନ ସୀମାରେ ନିଜ କ୍ଷମତା ପ୍ରଦର୍ଶନ କରିଛି । ବିଭିନ୍ନ ଲଢୁଆ ବିମାନ ଓ ଜେଟ, ମିସାଇଲ ବ୍ୟବହାର କରିଥିବା ଜଣାପଡିଛି ।