ଏପରି ଏକ ଦେଶ ଯେଉଁଠି ଏବେ ବି ଚାଲିଛି ବର୍ଷ ୨୦୧୨ ! ଅଜବ ରହସ୍ୟରେ ଭରିରହିଛି ଏହି ଦେଶ ।

285

୨୦୧୮କୁ ବିଦାୟ ଦେଇ ଆସିଛି ନୂଆବର୍ଷ ୨୦୧୯ । ଆଉ ନୂଆବର୍ଷକୁ ସ୍ୱାଗତ କରିବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଜମୁଛି ପିକନିକର ମଜା । ଗୋଟିଏ ପଟେ ପୁରା ଦୁନିଆରେ ବର୍ଷ ୨୦୧୯ ଆରମ୍ଭ ହୋଇଯାଇଛି ଆଉ ଅନ୍ୟପଟେ ଏପରି ଏକ ଦେଶ ଅଛି, ଯେଉଁଠି ଏବେବି ଚାଲିଛି ବର୍ଷ ୨୦୧୧ । ଆଫ୍ରିକୀୟ ଦେଶ ଇଥିୟୋପିୟାର କ୍ୟାଲେଣ୍ଡର ଦୁନିଆ ଠାରୁ ୭ ବର୍ଷ ୩ ମାସ ପଛରେ ଚାଲୁଛି । ଏପରିକି ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ଏହି ଦେଶ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଯେପରିକି ପୁରା ଦେଶରେ ଗୋଟିଏ ବର୍ଷରେ ୧୨ ମାସ ରହୁଥିବା ବେଳେ ଏହି ଦେଶରେ ୧୩ ମାସ ହୋଇଥାଏ । ତେବେ ଆସନ୍ତୁ ଜାଣିବା କାହିଁକି ଏହି ଦେଶ, ବର୍ଷ ଏବଂ ସମୟ ମାମଲାରେ ଦୁନିଆ ଠାରୁ ପୁରା ଅଲଗା ଅଟେ ।

୮୫ ଲକ୍ଷରୁ ଅଧିକ ଜନସଂଖ୍ୟା ସହ ଆଫ୍ରିକାର ଦ୍ୱିତୀୟ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ପରିଚିତ ଇଥିୟୋପିୟାର କ୍ୟାଲେଣ୍ଡର, ଗ୍ରେଗୋରିୟନ୍ କ୍ୟାଲେଣ୍ଡର ଠାରୁ ପାଖାପାଖି ସାଢେ ୮ ବର୍ଷ ପଛରେ ରହିଛି । ଏଠାରେ ନୂଆବର୍ଷ ଜାନୁୟାରୀ ମାସ ୧ ତାରିଖ ପରିବର୍ତେ ସେପ୍ଟେମ୍ବର ୧୧ ତାରିଖରେ ପାଳନ କରାଯାଇଥାଏ ।

ତେବେ ପ୍ରକୃତ କଥା ହେଉଛି, ଗ୍ରେଗୋରିୟନ୍ କ୍ୟାଲେଣ୍ଡରର ଆରମ୍ଭ ୧୫୮୨ ମସିହାରେ ହୋଇଥିଲା । ଏହା ପୂର୍ବରୁ ଜୁଲିୟନ୍ କ୍ୟାଲେଣ୍ଡରର ବ୍ୟବହାର ହେଉଥିଲା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାଥୋଲିକ୍ ଚର୍ଚ୍ଚକୁ ମାନୁଥିବା ଦେଶଗୁଡିକ ନୂଆ କ୍ୟାଲେଣ୍ଡରକୁ ସ୍ୱୀକାର କରୁଥିଲେ । ଯେତେବେଳେ କି ଅନ୍ୟ କେତେକ ଦେଶ ଏହାର ବିରୋଧ କରୁଥିଲେ । ଏହି ଦେଶଗୁଡିକ ମଧ୍ୟରେ ଇଥିୟୋପିୟା ମଧ୍ୟ ରହିଥିଲା । ଆଉ ଇଥିୟୋପିୟାରେ ରୋମାନ ଚର୍ଚ୍ଚର ଛାପ ରହିଥିଲା । ଆଉ ଇଥିୟୋପିୟା ଅର୍ଥୋଡକ୍ସ ଚର୍ଚ୍ଚ ବିଶ୍ୱାସ କରୁଥିଲା ଯେ, ଜୀଶୁଙ୍କ ଜନ୍ମ ୭ ବର୍ଷ ବ୍ୟବଧାନରେ ହୋଇଥିଲା । ଆଉ ଏହି ଅନୁଯାୟୀ, କ୍ୟାଲେଣ୍ଡରର ଗଣତି ଆରମ୍ଭ ହୋଇଥିଲା । କିନ୍ତୁ ଅଟେ ପଟେ ଦୁନିଆର ବାକି ସବୁ ଦେଶର କ୍ୟାଲେଣ୍ଡରର ଗଣତି ଇଥିୟୋପିୟା ଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା । ଯେଉଁ କାରଣରୁ ଇଥିୟୋପିୟାର କ୍ୟାଲେଣ୍ଡର ଏବେବି ୨୦୧୨ରେ ଅଟକି ରହିଛି । ଯେତେବେଳେ କି ଦୁନିଆର ଅନ୍ୟ ସବୁ ଦେଶରେ ୨୦୧୯ର ଆରମ୍ଭ ହୋଇସାରିଛି ।

ଇଥିୟୋପିୟାର କ୍ୟାଲେଣ୍ଡରରେ ଗୋଟିଏ ବର୍ଷରେ ୧୩ଟି ମାସ ରହିଥାଏ । ଆଉ ଏଥି ମଧ୍ୟରେ ୧୨ଟି ମାସରେ ୩୦ ଦିନ ରହିଥାଏ । ଏବଂ ଶେଷ ମାସକୁ ପାଗ୍ୟୁମେ ବୋଲି କୁହାଯାଇଥାଏ । ଯେଉଁଥିରେ ମାତ୍ର ୫ ଦିନ କିମ୍ବା ୬ ଦିନ ରହିଥାଏ । ତେବେ ସବୁଠାରୁ ବଡ କଥା ହେଉଛି, ଇଥିୟୋପିୟାର ଏହି କ୍ୟାଲେଣ୍ଡର ପାଇଁ ଅସୁବିଧାରେ ପଡିଥାନ୍ତି ପର୍ଯ୍ୟଟକ । ଯେଉଁମାନେ ଇଥିୟୋପିଆ ବୁଲିବା ପାଇଁ ଯାଇଥାନ୍ତି, ସେମାନେ ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଯାତାୟତ ଟିକେଟ୍ ପର୍ଯ୍ୟନ୍ତ, ତାରିଖକୁ ନେଇ ଦ୍ୱନ୍ଦରେ ପଡିଥାନ୍ତି ।

ତେବେ ଏହି ଦେଶର ଆହୁରି ମଧ୍ୟ କେତେକ ବିଶେଷତ୍ୱ ରହିଛି । ଯେପରିକି ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟରେ ସାମିଲ ହୋଇଥିବା ସ୍ଥାନ ଗୁଡିକ ମଧ୍ୟରେ ସବୁଠାରୁ ଅଧିକ ସ୍ଥାନ ଇଥିୟୋପିଆର ରହିଛି । ଆଉ ଏହି ସ୍ଥାନ ଗୁଡିକ ମଧ୍ୟରେ ରହିଛି ସବୁଠାରୁ ଗଭୀର ଏବଂ ଲମ୍ବା ଗୁମ୍ଫା । ଦୁନିଆର ସବୁଠାରୁ ଗରମ ଅନୁଭୂତ ହେଉଥିବା ସ୍ଥାନ । ଏବଂ ବହୁତ ସାରା ପ୍ରାକୃତିକ ସୁନ୍ଦରତାର ଏଠାରେ ଖଣି ରହିଛି । ଯେଉଁଥିପାଇଁ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରିବାକୁ ସାରା ଦୁନିଆରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି । ଆଉ ସବୁଠାରୁ ବଡ କଥା ହେଉଛି, ସେପ୍ଟେମ୍ବର ୧୧ ତାରିଖରେ ଏଠାରେ ପାଳନ କରାଯାଉଥିବା ନୂଆବର୍ଷ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ ।