ଭୁବନେଶ୍ୱର ସୂର୍ଯ୍ୟନଗର ସିଲ୍ ପରେ ଦୁଆର ଆଗରେ ପହଞ୍ଚିଲା ଅତ୍ୟାବଶ୍ୟକ ସାମଗ୍ରୀ । ଘର ଘର ବୁଲି ସ୍ୱାସ୍ଥ୍ୟବସ୍ଥା ବୁଝିଲେ ସ୍ୱାସ୍ଥ୍ୟକର୍ମୀ । ନିଷିଦ୍ଧାଞ୍ଚଳ ଘୋଷଣା ପରେ ବିଏମସିର ତ୍ୱରିତ ପଦକ୍ଷେପ

600

କନକ ବ୍ୟୁରୋ: ରାଜ୍ୟରେ ପଂଚମ କରୋନା ଆକ୍ରାନ୍ତ ରହୁଥିବା ଅଂଚଳ ଭୁବନେଶ୍ୱରର ସୂର୍ଯ୍ୟନଗରକୁ ସଂପୂର୍ଣ୍ଣ ସିଲ୍ କରିଛି ବିଏମସି । ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଶିରିପୁର ଛକ, ଶିରିପୁର ଛକରୁ ଗୋପବନ୍ଧୁ ଛକ ଯାଏଁ ଯିବା ଆସିବା ଉପରେ କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । ଉକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ପରେ ଆଜି ବ୍ୟାରିକେଟରେ ବନ୍ଦ କରାଯାଇଛି ।

ତେବେ ଉକ୍ତ ଅଞ୍ଚଳକୁ ସିଲ କରିବା ପରେ ସୂର୍ଯ୍ୟନଗରରେ ଘରେ ଘରେ ରାସନ ସାମଗ୍ରୀ ପଂହଚିଛି । ଏହି ଅଂଚଳକୁ ଅବରୋଧ ଅଂଚଳ ଘୋଷଣା କରିବା ପରେ ଭୁବନେଶ୍ୱର ମହାନଗର ନିଗମ ତ୍ୱରିତ ପଦକ୍ଷେପ ନେଇଛି । ଘରେ ଘରେ ରାସନ ସାମଗ୍ରୀ, ପନିପରିବା ଓ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀ ପହଂଚାଇବା ଉପରେ ଗୁରୁତ୍ୱ ଦେଇଛି । ଗାଡିରେ ଘର ଆଗରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚା ଯାଉଛି ।

ସେପଟେ ଲୋକମାନେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସଂପୃକ୍ତ ଅଂଚଳକୁ କେହି ବାହାର ଲୋକ ପଶିପାରିବେନି କିମ୍ବା ଭିତରର ଲୋକ ବାହାରକୁ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରେ ରାସନ ଯୋଗାଇବା ପରେ ସୂର୍ଯ୍ୟନଗର ଅଂଚଳକୁ ସାନିଟାଇଜ୍ କରାଯାଉଛି । ତାସହ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିବା ସୂଚନା ମିଳିଛି । ସମ୍ଭାବ୍ୟ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପୂରା ଅଂଚଳରେ ରାସାୟନିକ ବିଶୋଧନ କରାଯାଉଛି ।