କଡ଼ାକଡ଼ି ହେବ ସ୍କୁଲ ପରିଚାଳନା ବ୍ୟବସ୍ଥା ! ଶୃଙ୍ଖଳାରୁ ଅନୁଶାସନ ଯାଏଁ ତଦାରଖ କରିବ ‘ଆପ୍’, ଗତମାସରେ ସରିଥିଲା ତାଲିମ୍ ଆଜିଠାରୁ ହେବ କାର୍ଯ୍ୟକାରୀ ।

61

ସ୍କୁଲ ପରିଚାଳନା ବ୍ୟବସ୍ଥାକୁ ସୋମବାରଠାରୁ କଡାକଡ଼ି କରାଯିବ। କେଉଁ ବିଦ୍ୟାଳୟରେ କିଭଳି ଶିକ୍ଷା ଦିଆଯାଉଛି, ତାହାର ତଦାରଖ ହେବ। ଶିକ୍ଷକମାନେ ନିର୍ଧାରିତ ସମୟରେ ଆସୁଛନ୍ତି କି ନାହିଁ ? ପିଲାଙ୍କୁ ମଧ୍ୟାହ୍ନଭୋଜନ ଠିକ୍ ଭାବେ ମିଳୁଛି କି ନାହିଁ ? ପିଲାଙ୍କ ସୁରକ୍ଷା, ଶୌଚାଳୟ ସୁବିଧା ଆଦି ବିଷୟର ଯାଞ୍ଚ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଜିଲ୍ଲା ଓ ବ୍ଲକ ଅଧିକାରୀମାନେ ନିୟମିତ ବ୍ୟବଧାନରେ ସ୍କୁଲକୁ ଯାଇ ତଦାରଖ କରିବେ। ଅଧିକାରୀମାନେ ମଧ୍ୟ ଠିକ୍ ଭାବେ ନିଜ କାର୍ୟ୍ୟ କରୁଛନ୍ତି କି ନାହିଁ, ତାହାର ମଧ୍ୟ ତଦାରଖ ହେବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଓଡ଼ିଶା ସ୍କୁଲ ମନିଟରିଂ ଆପ୍’ ପ୍ରସ୍ତୁତ ହୋଇଛି। ଯାହାକି ସୋମବାରଠାରୁ ସାରା ରାଜ୍ୟରେ ଲାଗୁ ହେବ।

ଭୁବନେଶ୍ୱରସ୍ଥିତ ଏନ୍ଆଇସି ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ‘ଆପ୍’ ସ୍ମାର୍ଟଫୋନ୍/ ଟାବଲେଟ୍ରେ ଚାଲିବ। ସମସ୍ତ ଫିଲ୍ଡ ଅଫିସର୍ଙ୍କୁ ଏଥିରେ ସଂଯୋଗ କରାଯାଇଛି। ଏହି ଆପ୍କୁ କିଭଳି ପରିଚାଳନା କରାଯିବ, ସେନେଇ ଗତ ଜୁନ୍ ୬ ତାରିଖରେ ଡିଇଓ ଓ ଡିପିସିଙ୍କୁ ତାଲିମ ଦିଆଯାଇଥିଲା। ବିଇଓ, ଏବିଇଓ ଏବଂ ସିଆରସିସିର ଅଧିକାରୀଙ୍କୁ ମଧ୍ୟ ତିନି ଦିନ ଧରି ଜିଲ୍ଲାସ୍ତରରେ ତାଲିମ ଦିଆଯାଇଛି। ଜୁନ୍ ୧୮ରୁ ଏହି ଆପ୍ ଲାଗୁ ହେବାକୁ ଥିଲେ ମଧ୍ୟ ତାହା ହୋଇପାରି ନ ଥିଲା। ଗତ ୨୫ ତାରିଖରେ ସ୍କୁଲ ଖୋଲିବା ପରେ ସୋମବାରଠାରୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାସ୍ତରରେ ଡିଇଓ, ଡିପିଜି, ଏଡିଇଓ, ବରିଷ୍ଠ ଶିକ୍ଷକ, ପ୍ଲାନିଂ କୋଅର୍ଡିନେଟର, ପୋଗ୍ରାମର୍, ପେଡାଗୋଜି କୋଅର୍ଡିନେଟର, ଟ୍ରାଇବାଲ୍ କୋଅର୍ଡିନେଟର, ଜେଣ୍ଡର କୋଅର୍ଡିନେଟର ଓ ଆଇଇ କୋଅର୍ଡିନେଟରମାନେ ପ୍ରତି ମାସରେ ୧୦ଟି ସ୍କୁଲ ଗସ୍ତ କରିବେ। ବ୍ଲକସ୍ତରରେ ବିଇଓ ୧୦ଟି ଏବଂ ଏବିଇଓ ୧୫ଟି ସ୍କୁଲ ବୁଲିବେ। ସିଆରସିସିମାନେ ୧୮ଟି ସ୍କୁଲ ଯିବାକୁ ବାଧ୍ୟତାମୂଳକ। ଅଧିକାରୀମାନେ ସ୍କୁଲ ଯାଉଛନ୍ତି କି ନାହିଁ, ମନିଟରିଂ ଜିପିଏସ୍ ମାଧ୍ୟମରେ ତାହାର ତଦାରଖ କରାଯିବ। ଏହି ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକ ଅଧିକାରୀମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ମଧ୍ୟାହ୍ନଭୋଜନ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବ। ପୂର୍ବାହ୍ନ ୧୧ଟା ପୂର୍ବରୁ ବିଦ୍ୟାଳୟ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସମ୍ପର୍କରେ ତଥ୍ୟ ଦାଖଲ କରିବେ। ସେହିପରି କେତେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବେ, ସେନେଇ ମଧ୍ୟ ତଥ୍ୟ ଦାଖଲ କରିବେ। ବିଳମ୍ବ ହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ। ସମସ୍ତ ବିଦ୍ୟାଳୟରେ ଆଜି ପର୍ୟ୍ୟନ୍ତ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କ ଆଧାର ସଂଯୋଗ ହୋଇପାରି ନାହିଁ। ଏନେଇ ବିଭାଗ ପକ୍ଷରୁ ବାରମ୍ବାର ତାଗିଦ୍ କରାଯାଇଥିଲେ ମଧ୍ୟ ଅଧିକାରୀମାନେ ଶୁଣୁନାହାନ୍ତି। ଆଧାର ସଂଯୋଗ ଶତ ପ୍ରତିଶତ ହୋଇପାରି ନାହିଁ। ଯେତେଶୀଘ୍ର ସମ୍ଭବ ସବୁ ପିଲାଙ୍କର ଆଧାର ସଂଯୋଗ କରିବାକୁ ଗତକାଲି ଅନୁଷ୍ଠିତ ଭିଡିଓ କନ୍ଫରେନ୍ସିଂ ସମୀକ୍ଷା ବୈଠକରେ ବିଭାଗୀୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚି ସାରିଛି। ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ ଲାଗି ଏଥର ଆଗୁଆ ପଦକ୍ଷେପ ନିଆଯାଇଥିବାରୁ ନିର୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରକ୍ରିୟା ସରିଛି। ସେହିପରି ରିମେଡିଆଲ୍ କ୍ଲାସେସ୍ (ପ୍ରତିକାରାତ୍ମକ ଶିକ୍ଷା) ପାଇଁ ବଣ୍ଟନ ହେବାକୁ ଥିବା ପୁସ୍ତକଗୁଡ଼ିକ ସ୍କୁଲରେ ପହଞ୍ଚି ସାରିଥିବା ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ।