କୁକୁର ଉପରେ ଗାଡ଼ି ଚଢ଼ାଇ ଫସିଗଲେ ଓଲା ଡ୍ରାଇଭର : ଗିରଫ କଲା ପୋଲିସ୍

1,416

କନକ ବ୍ରୁରୋ : କୁକୁର ଉପରେ ଗାଡ଼ି ଚଢ଼ାଇ ଚାଳକ ଗିରଫ । କୁକୁର ଛୁଆକୁ ଗାଡ଼ି ତଳେ ଚାପି ମାରିଦେଇଥିବା କାରଣରୁ ଜଣେ ଓଲା ଚାଳକଙ୍କୁ ଚନ୍ଦ୍ରଶେଖର ପୁଲିସ ସୋମବାର ଗିରଫ କରିଛି । ଗିରଫ ଓଲା ଚାଳକଙ୍କ ନାମ କାହ୍ନୁଚରଣ ଗିରି ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ରାସ୍ତା କଡ଼ରେ ୪ଟି କୁକୁର ଛୁଆ ଖେଳୁଥିଲେ । ଏହି ସମୟରେ ଓଲା ଚାଳକ କାହ୍ନୁ ଚରଣ ଗିରି ସେହି ରାସ୍ତାରେ କ୍ୟାବ ଚଳାଇ ଯାଉଥିଲେ । କାହ୍ନୁଙ୍କ ଗାଡ଼ିର ବେଗ ଅଧିକ ଥିବା ସହିତ ଅସାବଧାନତା ହେତୁ ୪ଟି କୁକୁର ଛୁଆକୁ ସେ ଗାଡ଼ି ଚଢ଼ାଇ ଚାଲି ଯାଇଥିଲେ । ଫଳରେ ୪ଟି କୁକୁର ଛୁଆଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ୪ଟି କୁକୁର ଛୁଆଙ୍କୁ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ଦେଖି ମା’ କୁକୁର କାହାକୁ କିଛି ନକହି ସେମିତି ଆଖିରୁ ଲୁହ ଝରାଇ ଚାଲିଥାଏ । କାଳେ ତାର ଛୁଆ ପୁଣି ଉଠି ରାସ୍ତାରେ ଖେଳିବେ, ବୁଲିବେ ସେ ଆଶା ନେଇ ରାସ୍ତାରେ ଜଗି ବସିଥାଏ ମା’ କୁକୁର ।

କୁକୁର ଛୁଆକୁ କ୍ୟାବ୍ ଚାଳକ ମାରି ଚାଲିଯିବା ଘଟଣା ବିଷୟରେ ଜାଣିବା ପରେ ପଶୁପକ୍ଷୀଙ୍କ କଲ୍ୟାଣ ପାଇଁ କାମ କରୁଥିବା ପ୍ରାଣୀମଙ୍ଗଳ-ସଙ୍ଗଠନର ସଦସ୍ୟ (ପିପୁଲ ଫର୍ ଆନିମଲ୍)ମାନେ ସ୍ଥାନୀୟପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମୁତାବକ ଚନ୍ଦ୍ରଶେଖର ପୁଲିସ ଉକ୍ତ ଓଲା ଚାଳକଙ୍କୁ ଆଜି ଗିରଫ କରିଛି।