ଆଫଗାନିସ୍ତାନ ବୋଲରଙ୍କୁ ନିର୍ଧୁମ ଛେଚିଲେ ମୋର୍ଗାନ । ୧୭ଟି ବିଶାଳ ଛକା ମାରି ବିଶ୍ୱରେକର୍ଡ ଭାଙ୍ଗିଲେ ।

634

କନକ ବ୍ୟୁରୋ : ବିଶ୍ୱକପରେ ବିଶ୍ୱରେକର୍ଡ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଗେଲଙ୍କ ବିଶ୍ୱରେକର୍ଡ ଭାଙ୍ଗିଛନ୍ତି ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ । ଆଫଗାନିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ନୂଆ ରେକର୍ଡ କରିଛନ୍ତି ମୋର୍ଗାନ । ମାଞ୍ଚେଷ୍ଟର ମୈଦାନରେ ଗୋଟିଏ ଇନିଂସରେ ୧୭ଟି ଛକା ମାରିବା ସହ ବିଶ୍ୱ ରେକର୍ଡ କରିଛନ୍ତି ମୋର୍ଗାନ । ନିଜ ଧୂଆଁଧାର ଇନିଂସରେ ମାତ୍ର ୭୧ଟି ବଲର ସମ୍ମୁଖୀନ ହୋଇ ୧୪୮ ରନର ଧୂଆଁଧାର ଇନିଂସ ଖେଳିଛନ୍ତି ମୋର୍ଗାନ । ଆଉ ଏହି ଇନିଂସ ସହ ଅନେକ ଗୁଡିଏ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି ଇଂଲଣ୍ଡ ଅଧିନାୟକ ।

ମୋର୍ଗାନଙ୍କ ୧୪୮ ରନର ଇନିଂସରେ ୧୭ଟି ବିଶାଳ ଛକା ଓ ୪ଟି ଚୌକା ରହିଥିବା ବେଳେ ଅନେକ ଗୁଡିଏ ରେକର୍ଡ ମଧ୍ୟ ଭାଙ୍ଗିଛି । ଗୋଟିଏ ଇନିଂସରେ ୧୭ଟି ଛକା ମାରି ବିଶ୍ୱକପରେ ଗେଲଙ୍କ ରେକର୍ଡ ଓ ଦିନିକିଆରେ ରୋହିତ ଶର୍ମା ଓ ଏବି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି ମୋର୍ଗାନ । ପୂର୍ବରୁ ୨୦୧୫ ବିଶ୍ୱକପରେ ଜିମାୱେ ବିପକ୍ଷରେ ଗେଲ ୧୬ଟି ଛକା ମାରି ଏହି ରେକର୍ଡର ଅଧିକାରୀ ହୋଇଥିଲେ । ଏହାପୂର୍ବରୁ ଦିନିକିଆରେ ଏହି ରେକର୍ଡ କରିଥିଲେ ଉଭୟ ରୋହିତ ଓ ଏବି ଡିଭିଲିର‌୍ୟସ । ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକୀୟ ପାଳିରେ ୧୬ଟି ଛକା ମାରିଥିଲେ । ସେହିଭଳି ଏବି ଡିଭିଲିୟର୍ସ ମଧ୍ୟ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୦୧୫ରେ ୧୬ଟି ଛକା ମାରି ରେକର୍ଡ ବୁକରେ ନିଜକୁ ସାମିଲ କରିଥିଲେ ।

କେବଳ ଛକାରେ ନୁହେଁ ବରଂ ବିଶ୍ୱକପରେ ସବୁଠୁ ଦ୍ରୁତ ଟପ-୫ ଶତକ ହାସଲକାରୀଙ୍କ ତାଲିକାରେ ମଧ୍ୟ ସାମିଲ ହୋଇଛନ୍ତି ମୋର୍ଗାନ । ୫୭ ବଲରୁ ମୋର୍ଗାନ ଶତକ ହାସଲ କରିବା ସହ ଏହି ତାଲିକାର ୪ର୍ଥ ସ୍ଥାନରେ ଏଣ୍ଟ୍ରି ମାରିଛନ୍ତି । ଏହାପୂର୍ବରୁ ୨୦୧୧ ବିଶ୍ୱକପରେ ଆୟରଲାଣ୍ଡର କେଭିନ ଓ’ବ୍ରାୟନ ଇଂଲଣ୍ଡ ବିପକ୍ଷରେ ୫୦ ବଲରୁ ଶତକ ହାସଲ କରି ଇତିହାସ ରଚିଥିଲେ । ୨୦୧୫ରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଶ୍ରୀଲଙ୍କା ବିପକ୍ଷରେ ୫୧ ବଲରୁ ଶତକ ହାସଲ କରିବା ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ୩୬୦ ଡିଗ୍ରୀ ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫୨ ବଲରୁ ଶତକ ହାସଲ କରି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।

ଆଫଗାନିସ୍ତାନ ବିପକ୍ଷରେ ମୋର୍ଗାନଙ୍କ ଧୂଆଁଧାର ଶତକ ଓ ଶେଷ ଆଡକୁ ମୋଇନ ଅଲ୍ଲୀଙ୍କ ଦ୍ରୁତ ଇନିଂସ ବଳରେ ଇଂଲଣ୍ଡ ୩୯୭ ରନର ବିଶାଳ ସ୍କୋର ଛିଡା କରିଛି । ତେବେ ପଏଣ୍ଟ ଟେବୁଲର ସବୁଠୁ ତଳେ ଥିବା ଆଫଗାନିସ୍ତାନ ଇଂଲଣ୍ଡ ବିପକ୍ଷରେ କିଭଳି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।