ଢେଙ୍କାନାଳ ପୌରସଂସ୍ଥାରେ ଦୁର୍ନୀତି ଅଭିଯୋଗ : ଜେଲ୍ ଗଲେ ବିଦାୟୀ ନିର୍ବାହୀ ଅଧିକାରୀ

20

ଢେଙ୍କାନାଳ : ଢେଙ୍କାନାଳ ମ୍ୟୁନିସିପାଲିଟିର ବିଦାୟୀ ନିର୍ବାହୀ ଅଧିକାରୀ ପଦ୍ମନାଭ ନାଏକ। ତାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ବିଦାୟୀ ଇଓ ତାଙ୍କ ବାସଭବନରେ କ୍ୟାସବୁକ, ଚେକବୁକ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଫାଇଲ ମଗାଇ କାମ କରୁଥିଲେ । ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲେ ଦୁଇ ପୌର କର୍ମଚାରୀ ଆକାଉଂଟାଂଟ୍ ଦେବାଶିଷ ମହାପାତ୍ର ଏବଂ ସହକାରୀ ଶ୍ରୀବତ୍ସ ପଣ୍ଡା।

ଏହା ସହ କ୍ୟାସବୁକରେ ୩୨ ହଜାର ୪୦୦ ଟଙ୍କାର ହିସାବ ମିଳୁନଥିବା ମଧ୍ୟ ଅଭିଯୋଗ କରିଥିଲେ ନୂଆ କରି ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ସଦର ତହସିଲଦାର ଶତ୍ରୁଘ୍ନ କର। ଆଉ ଏହି ସବୁ ଅଭିଯୋଗ ଆଧାରରେ ଢେଂକାନାଳ ଟାଉନ୍ ଥାନାରେ ସଂପୃକ୍ତ ତିନିଜଣଙ୍କ ବିରୋଧରେ ଏତଲା ଦେଇଥିଲେ ନୂଆ ଇଓ। ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଆଉ ଅଭିଯୁକ୍ତମାନଙ୍କ ଜାମିନ ନାମଂଜୁର ପରେ ସେମାନଙ୍କୁ ପଠାଇ ଦିଆଯାଇଛି ଜେଲ ହାଜତକୁ । ତେବେ ଜେଲ ଯିବା ପୂର୍ବରୁ ଜିଲ୍ଲାପାଳଙ୍କ ଷଡଯନ୍ତ୍ରର ଶିକାର ହୋଇଥିବା ଅଭିଯୁକ୍ତମାନେ କହିଛନ୍ତି।

ଏତଲାରେ ଆଉ ଏକ ଅଭିଯୋଗ ଥିଲା ଯେ ଇଓ ପଦ୍ମନାଭ ନାଏକଙ୍କ ନିକଟକୁ ୨୦୧୪ ସେପ୍ଟେମ୍ବରରେ ଆସିଥିବା ନିଜ ବଦଳି ଅର୍ଡରକୁ ସେ ଲୁଚାଇଥିଲେ। କିନ୍ତୁ ତାଙ୍କ ଓକିଲଙ୍କ କହିବା ଅନୁଯାୟୀ ଇଓଙ୍କ ବଦଳିକୁ ସ୍ଥଗିତ ରଖିବା ପାଇଁ ଖୋଦ ଜିଲ୍ଲାପାଳ ୨୦୧୬ ଏପ୍ରିଲ ୨୮ରେ ଗୃହ ଓ ନଗର ଉନ୍ନୟନ ନିର୍ଦେଶକଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ।

ସେଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ତାଙ୍କ ସ୍ଥାନରେ ଯେ ପର୍ଯ୍ୟନ୍ତ ଅନ୍ୟ କେହି ନିଯୁକ୍ତି ପାଇନଥିବେ ସେ ପର୍ଯ୍ୟନ୍ତ ତାକୁଂ ରିଲିଭ୍ କରାଯିବ ନାହିଁ। ତେବେ କେଉଁ କାରଣରୁ ହଠାତ ଜିଲ୍ଲାପାଳ ତାଙ୍କୁ ସମୟ ନ ଦେଇ ରିଲିଭ୍ କଲେ ଏବଂ ତାଙ୍କ ବାକିଆ କାମ ସାରିବାକୁ ସମୟ ନଦେଇ ଏଭଳି ଗିରଫ କରାଇଲେ ତାହା ଏବେ ଚର୍ଚ୍ଚାର ବିଷୟ। ତେବେ ଏହା ପଛର ରହସ୍ୟ ସମ୍ପର୍କରେ ଜିଲ୍ଲାପାଳ କ୍ୟାମେରା ଆଗରେ କିଛି କହିବାକୁ ସିଧାସଳଖ ମନା କରି ଦେଇଛନ୍ତି।

ସେପଟେ ବିଦାୟୀ ନିର୍ବାହୀ ଅଧିକାରୀ ପଦ୍ମନାଭଙ୍କ ପତ୍ନୀଙ୍କ ପକ୍ଷରୁ ନୂତନ ଇଓ ଏବଂ କିଛି କାଉନସିଲରଙ୍କ ବିରୋଧରେ ଟାଉନ ଥାନାରେ ପାଲଟା ଏତଲା ଦାୟର ଦିଆଯାଇଛି।