ମସଜିଦ୍ ଯାଇପାରିବେ ମୁସଲମାନ୍ ମହିଳା ! ମସଜିଦରେ ନମାଜ ପଢିବାରେ ନାହିଁ କଟକଣା, ସୁପ୍ରିମକୋର୍ଟଙ୍କୁ ଜଣାଇଲା ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ।

193

କନକ ବ୍ୟୁରୋ : ମୁସଲମାନ ମହିଳାଙ୍କୁ ନେଇ ସବୁଠାରୁ ବଡ ଖବର । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ, ମସଜିଦକୁ ମହିଳାମାନେ ଯାଇପାରିବେ ବୋଲି କହିଛି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ । ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହା କହିଛି ମୁସଲମାନଙ୍କ ସବୁଠାରୁ ବଡ ଧର୍ମୀୟ ସଂଗଠନ । ମୁସଲମାନ ମହିଳାମାନେ ମସଜିଦକୁ ଯାଇ ନମାଜ ପାଠ କରିପାରିବେ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି ଏହି ସଂଗଠନ ।

ଧର୍ମ ବିଶ୍ୱାସ, ଧର୍ମୀୟ ମତବାଦ ଓ ଧର୍ମ ପୁସ୍ତକରେ ଏଥିପାଇଁ ଅନୁମତି ରହିଛି । ପୁରୁଷଙ୍କ ପରି ମହିଳାମାନେ ମଧ୍ୟ ନିଜର ଧର୍ମୀୟ ଅଧିକାରକୁ ସାବ୍ୟସ୍ତ କରିପାରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଆଇନଜୀବୀ ଏମଆର ସମସାଦଙ୍କ ଜରିଆରେ ମୁସଲିମ ପର୍ସନାଲ ଲ’ ବୋର୍ଡ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି । ମୁସଲିମ ମତବାଦ ଅନୁସାରେ ମହିଳାମାନେ ମସଜିଦରେ କିମ୍ବା ଘରେ ରହି ନମାଜ ପାଠ କରିପାରିବେ ।

ତେଣୁ ମୁସଲମାନ ମହିଳାଙ୍କୁ ମସଜିଦରୁ ଦୂରେଇ ରଖାଯାଇଥିବା ଏହି ସତ୍ୟପାଠରେ କୁହାଯାଇଛି । ୟାସମିନ ଜୁବେର ଅହମ୍ମଦ ପୀରଜାଦା ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରି, ମସଜିଦରେ ମହିଳାଙ୍କ ପ୍ରବେଶ ଅଧିକାର ନେଇ ନ୍ୟାୟିକ ହସ୍ତକ୍ଷେପ ଲୋଡିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୯ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ । ଆଗାମୀ ୧୦ ଦିନ ଯାଏଁ ଏସମ୍ପର୍କିତ ଏକାଧିକ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଏହି ବିଶାଳ ବେଂଚରେ ହେବ ବୋଲି ଜଣାପଡିଛି ।