ସିନେ ପରଦାକୁ ଆସିବ ପାଇକ ପୁଅର ବୀରତ୍ୱ ଗାଥା ! ୧୫ କୋଟିରେ ନିର୍ମିତ ହେବ ‘ବକ୍ସି ଜଗବନ୍ଧୁ’

200

ସିନେ ପରଦାକୁ ଆସିବ ପାଇକ ପୁଅର ବୀରତ୍ୱ ଗାଥା । ଲୁଣ ଉପରେ କର ଲାଗୁ ଭଳି ଜୁଲମ ହେଉ ଅବା କଉଡ଼ି ପ୍ରଚଳନରେ ରୋକ୍ ଲଗାଇବାର ଯନ୍ତ୍ରଣା । ଇଷ୍ଟ୍ ଇଣ୍ଡିଆ କଂପାନୀର ଜୁଲମ ବିରୋଧରେ ଦିନେ ସୃଷ୍ଟି ହୋଇଥିଲା ପାଇକ ମେଳି । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟଙ୍କ ନେତୃତ୍ୱରେ ୧୮୧୭ରେ ଜନ୍ମ ନେଇଥିବା ପାଇକ ବିଦ୍ରୋହର କାହାଣୀକୁ ନେଇ ସିନେମା ନିର୍ମାଣ କରିବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ।

୨୦୧୭ରେ ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରୁଥିବାବେଳେ ରାଜ୍ୟ ସ୍ତରରେ ଏହାକୁ ନେଇ ବହୁ ମତବାଦ ଉଠିଛି । ପାଇକ ବିଦ୍ରୋହ ଯେ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ ଏହି ନିଚ୍ଛକ ସତ୍ୟକୁ ବିଶ୍ୱବ୍ୟାପୀ କରିବା ପାଇଁ ଇଂରାଜୀ ଓ ହିନ୍ଦୀ ଭାଷାରେ ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବେ । ଏଥିପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଓଡ଼ିଆ ଚଳଚ୍ଚିତ୍ରରେ ଏହି ହାଇ ବଜେଟର ସିନେମା ପାଇଁ ଖୋର୍ଦ୍ଧାର ପାଇକ ଗଡ଼ରେ ଅନେକ ଦିନ ହେଲା ଗବେଷଣା ଆରମ୍ଭ ହୋଇଯାଇଛି ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ମନମୋହନ ମହାପାତ୍ର । ଯଦିଓ ସିନେମାଟିକୁ ନେଇ ଅଧିକ କୌଣସି ସୂଚନା ମିଳିପାରି ନାହିଁ ତେବେ ଏହି ସିନେମାରେ ଓଡ଼ିଆ କଳାକାରଙ୍କୁ ନିଆଯିବ ବୋଲି ପ୍ରଯୋଜକ ଶ୍ରୀ ପରିଜା ସୂଚନା ଦେଇଛନ୍ତି ।