ସାମ୍ନାକୁ ଆସିଲା ଭାଇରାଲ ଭିଡିଓର ସତ୍ୟତା ! ବଲିଉଡ଼ର ଜଣେ ଖ୍ୟାତନାମା ଗାୟକଙ୍କ ଭାଣୀଜି ହେଉଛନ୍ତି ଏହି ଶିଶୁ

61

କିଛିଦିନ ତଳେ ଆମେ ଆପଣଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣେ ଛୋଟ କୁନି ଝିଅର ଭିଡିଓ ସଂପର୍କରେ ଜଣାଇଥିଲୁ । ଯେଉଁଥିରେ ଜଣେ ମହିଳା ଶିଶୁଟିକୁ ଅତି ଅମାନୁସିକ ଭାବେ ମାଡ଼ ମାରିବା ସହ ଗାଳିଗୁଲଜ କରି ପାଠ ପଢାଉଥିବାବେଳେ ଶିଶୁଟି ମହିଳା ଜଣଙ୍କୁ ଦଣ୍ଡ ନଦେଇ ଭଲରେ ପଢାଇବାକୁ ଆକୁଳ ନିବେଦନ କରୁଥିବାର ଦୃଶ୍ୟ ରହିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଅସନ୍ତୋଷ ଦେଖାଦେଇଥିଲା । ଏପରିକି କ୍ରିକେଟର ବିରାଟ୍ କୋହଲି ଏବଂ ଶିଖର ଧୱନ ମଧ୍ୟ ଏହି ଭିଡିଓଟିକୁ ସେୟାର କରିବା ସହିତ ଗଭୀର ଦୁଃଖ ପ୍ରକାଶ କରିଥିଲେ ।

ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିଥିବ କି, ଏହି ଭିଡିଓରେ କାନ୍ଦି କାନ୍ଦି ଆକୁଳ ନିବେଦନ କରୁଥିବା ଶିଶୁଟି ପ୍ରକୃତ କିଏ ? ବିଜନେସ ଅଫ୍ ସିନେମାରେ ପ୍ରକାଶିତ ଖବର ମୁତାବକ, ଏହି ଶିଶୁଟିର ନାଁ ହେଉଛି ‘ହୟା’ । ଏବଂ ‘ହୟା’ ହେଉଛନ୍ତି ବଲିଉଡ ଜଗତର ଖ୍ୟାତନାମା ଗାୟକ ତୋଶୀ ଏବଂ ଶାରିବ ସାବ୍ରିିଙ୍କ ଭାଣୀଜି । ଶାରିବ ସାବ୍ରିଙ୍କ ଇନଷ୍ଟାଗ୍ରାମ ପେଜରେ ଏହି ଶିଶୁଟିର ଅନେକ ଭିଡିଓ ଅପଲୋଡ ହୋଇଛି । ଏହି ଭିଡିଓରେ କେଉଁଠି ଶିଶୁଟି ନମାଜ ପଢୁଥାଏ ତ ପୁଣି କେଉଁଠି ମାଆଙ୍କ ସହିତ ମସ୍ତି କରୁଛି । ତେବେ ଏହି ଭିଡିଓ ଶାରିବ ୨୦୧୬ରେ ଅପଲୋଡ କରିଥିଲେ ।

ଏଠାରେ ଆମେ କହିରଖୁଛୁ କି, ନିକଟରେ ଭାରତୀୟ କ୍ରିକେଟର ଶିଖର ଧୱନ ଏବଂ ଅଧିନାୟକ ବିରାଟ୍ କୋହଲି ୱାନଡେ ସିରିଜ୍ ପୂର୍ବରୁ ଏକ ଭିଡିଓ ଦେଖି ଅତ୍ୟନ୍ତ ଭାବୁକ ହୋଇପଡିଥିଲେ । ଖାଲି ସେତିକି ନୁହେଁ ଉଭୟେ ନିଜ ନିଜର ଭାବନାକୁ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଥିଲେ । ଶିଖର ଧୱନ ଶିଶୁଟିକୁ ପଢାଇବାର ଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ସେ ଲେଖିଥିଲେ କି, ‘ମୁଁ ଯେତେ ସବୁ ଭିଡିଓ ଦେଖିଛି, ସେଥିମଧ୍ୟରୁ ଅଧିକ କଷ୍ଟଦାୟକ ହେଉଛି ଏହି ଭିଡିଓ । ବାପାମାଆ ହେବା ଦୃଷ୍ଟିରୁ ଆମର ମୁଖ୍ୟ କର୍ତ୍ତବ୍ୟ ହେଉଛି ନିଜ ପିଲାଙ୍କୁ ଆଗକୁ ବଢିବାକୁ ପ୍ରୋତ୍ସାହନ ହେବା ଓ ସେମାନଙ୍କୁ ବୁଝାଶୁଝା କରି ପାଠ ପଢାଇବା । ମୋତେ ବହୁତ କଷ୍ଟ ଲାଗିଲା କି ଉକ୍ତ ମହିଳା ଜଣକ ଭାବାତ୍ମକ, ମାନସିକ ଏବଂ ଶାରୀରିକ ଦୃଷ୍ଟି କୋଣରୁ ଶିଶୁଟିକୁ ପ୍ରତାଡିତ କରୁଛନ୍ତି । ଯାହାଦ୍ୱାରା କି ଶିଶୁଟି ଖୁବ୍ ଶୀଘ୍ର ୫ ଯାଏଁ ଗଣିବା ଶିଖିଯିବ’ ।

ଅନ୍ୟପଟେ, ବିରାଟ ମଧ୍ୟ ଭିଡିଓକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ବିରାଟ ଲେଖିଥିଲେ, ‘ଶିଶୁଟିର କାନ୍ଦ ହୃଦୟକୁ କଷ୍ଟଦେବା ଭଳି ଅଟେ । ପିଲାଙ୍କୁ ଅତି କୋମଳତାର ସହ ପାଠ ପଢାଇବାକୁ ପଡିବ, ଡରାଇ ଧମକାଇ ନୁହେଁ । ତେବେ ଶିଶୁଟିକୁ ପଢାଇବାର ଶୈଳୀ ଏଭଳି ନିଷ୍ଠୁର ରହିଛି କି ଯିଏ ଦେଖିବ ସେ ନିଜ ଲୁହକୁ ଅଟକାଇ ପାରିବ ନାହିଁ । ଏହା ଅତ୍ୟନ୍ତ କଷ୍ଟଦେବା ଭଳି ଦୃଶ୍ୟ ଅଟେ’ ।

ସୌଜନ୍ୟ: ଆଜତକ୍