କାହିଁକି ବଲିଉଡକୁ ବବି କଲେ ବାଏ ବାଏ ?

77

ଧର୍ମେନ୍ଦ୍ରଙ୍କ ସାନ ପୁଅ ବବି ଦେଓଲ୍ ବି ବଡ଼ ଭାଇ ସନ୍ନି ଦେଓଲଙ୍କ ଭଳି ବଲିଉଡରେ ହିରୋ ହେବାର ଲକ୍ଷ୍ୟ ରଖିଥିଲେ । ତା’ଛଡ଼ା ପିତା ଧର୍ମେନ୍ଦ୍ର ବି ଠିକ୍ ସେଇଆ ଚାହୁଁଥିଲେ । ଏହାପରେ କାହାଣୀ ଖୋଜାଗଲା ଏବଂ କିଏ ବବିଙ୍କ ଡେବ୍ୟୁ ସିନେମାର ନିର୍ଦ୍ଦେଶନା ଦେବେ ତାକୁ ନେଇ ଚିନ୍ତନ ହେଲା । ଅବଶେଷରେ ବଡ଼ ଭାଇ ସନ୍ନି ଦେଓଲ ତାଙ୍କର ପ୍ରିୟ ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀଙ୍କୁ ଏହି ଦାୟିତ୍ୱ ଦେଲେ । ସେ ଯେଉଁ ସିନେମା ତିଆରି କରିବାକୁ ରାଜି ହେଲେ ତାହା ଥିଲା ‘ବରସାତ୍’ । ଏହି ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ ବବି ଦେଓଲ୍ । ଏଥିରେ ସୁପରଷ୍ଟାର୍ ରାଜେଶ ଖାନ୍ନା-ଡିଂପଲ୍ କାପାଡ଼ିଆଙ୍କ କନ୍ୟା ଟ୍ଵଙ୍କିଲ୍ ଖାନ୍ନା ନାୟିକା ଭୂମିକାରେ ନଜର ଆସିଥିଲେ । ଏହା ଏକ ପ୍ରେମ କାହାଣୀ ଆଧାରିତ ସିନେମା ଥିଲା । ସିନେମାଟି ବକ୍ସ ଅଫିସରେ ଖାସ୍ କମାଲ କରିନଥିଲେ ବି ବବି ଆଉ ପଛକୁ ଫେରି ଚାହିଁ ନଥିଲେ । ସେ ବଲିଉଡରେ ଜଣେ ଷ୍ଟାରଭାବେ ପରିଚିତ ହେଲେ ।

ଏହା ପରେ ପରେ ସୋଲଜର୍, ବାଦଲ୍, ଗୁପ୍ତ, ଅଜନବୀ, ହମରାଜ୍ ,ବିଚ୍ଛୁ ଭଳି କେତୋଟି ହିଟ୍ ସିନେମା ଦେଇଥିଲେ । କିନ୍ତୁ ତା’ପରେ ତାଙ୍କର କ୍ୟାରିଅର୍ ଧିମେଇ ଯାଇଥିଲା । ବବି ଦେଓଲଙ୍କୁ ଦର୍ଶକ ଉଭୟ ଆକସନ୍ ଏବଂ ରୋମାଣ୍ଟିକ୍ ହିରୋଭାବେ ଗ୍ରହଣ କରିଥିଲେ । ସେ ରାଜ କୁମାର ସନ୍ତୋଷୀ, ରାଜ କଓ୍ଵଁର୍,ଅବବାସ୍-ମସ୍ତାନ, ରାହୁଲ ରେଓ୍ଵଲଙ୍କ ପରି ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିସାରିଥିଲେ । ସେହି ସମୟରେ ବବି ଦେଓଲଙ୍କ କଜିନ୍ ଅଭୟ ଦେଓଲଙ୍କ ଅଭିନୀତ ସିନେମା ‘ଶୋଚା ନ ଥା’ ରିଲିଜ୍ ହୋଇଥିଲା, ଯାହା ତାଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ଏହାର ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀଙ୍କ ସହ କାମ କରିବାକୁ ଚାହିଁଥିଲେ ।ଏହି ସମୟରେ ସିଦ୍ଧି ବିନାୟକ ଫିଲ୍ମସ ଓ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀ ବବି ଦେଓଲଙ୍କୁ ଏକ ଫିଲ୍ମର ଅଫର୍ ଦେଇଥିଲେ । ଏହାର କାହାଣୀ ଶୁଣିବା ପରେ ସେ ଉତ୍ସାହିତ ହୋଇଥିଲେ । ସେତେବେଳେ ତା’ର ଟାଇଟଲ ଥିଲା ‘ ଗୀତ୍ ।

ଲୋକପ୍ରିୟ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀଙ୍କ ପ୍ରଥମ ବ୍ଲକବଷ୍ଟର ମୁଭି ହେଲା ଥିଲା ‘ଜବ୍ ଉଇ ମେଟ୍’ । ଏଥିରେ ଶାହିଦ୍ କପୁର ଓ କରିନା କପୁର ଲିଡ୍ରୋଲରେ ଥିଲେ । ହେଲେ ଖୁବ୍ କମ୍ ଲୋକ ଜାଣନ୍ତିଯେ ପ୍ରଥମେ ଏହି ସିନେମାରେ ଟାଇଟଲ ଥିଲା ‘ ଗୀତ୍ ’ ଏବଂ ଏଥିରେ ଶାହିଦ୍ ନୁହେଁ ଅନ୍ୟ ଜଣେ ହିରୋଙ୍କୁ ନିଆଯିବାର ନିଷ୍ପତ୍ତି ହୋଇଥିଲା । ସେହି ନାୟକ ଜଣକ ହେଲେ ବବି ଦେଓଲ୍ ।

ଏହି ସିନେମା ପାଇଁ କରିନା କପୁରଙ୍କୁ ନାୟିକା ଭାବେ ପ୍ରଥମେ ଚୁକ୍ତିବଦ୍ଧ କରାଗଲା । ସିନେମାରେ କରିନା କିନ୍ତୁ ବବିଙ୍କ ସହ କାମ କରିବାକୁ ରାଜି ହୋଇନଥିଲା । ସେ ତାଙ୍କର ବୟଫ୍ରେଣ୍ଡ ଶାହିଦ୍ କପୁରଙ୍କୁ ହିରୋ ଭାବେ ସାଇନ୍ କରିବାକୁ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଉପରେ ଚାପ ପକେଇଲେ । ପ୍ରାୟ ଛଅ ମାସ ପରେ ଶାହିଦ୍ ଏହି ସିନେମାରେ ଇନ୍ ହେଲେ ଓ ବବି ଆଉଟ୍ । ଏହାପରେ ଏହାର ନାଁ ରଖାଯାଇଥିଲା ‘ଜବ୍ ଉଇ ମେଟ୍ ’ । ଏହାପରେ ବବିଙ୍କ ମନ ଭାଙ୍ଗି ଯାଇଥିଲା ଓ ବଲିଉଡଠୁ ସାମୟିକ ଭାବେ ଦୂରେଇ ଯାଇଥିଲେ ।