‘ପ୍ୟାଡମ୍ୟାନ’ ନୁହଁନ୍ତି ଖିଲାଡୀ କୁମାର ! ଜାଣନ୍ତୁ ସିନେମାର ଅସଲ ହିରୋ କିଏ ?

73

ଅକ୍ଷୟ କୁମାରଙ୍କ ସନ୍ଦେଶ ଭରା ମନୋରଂଜନର ଯାତ୍ରା ଜାରି ରହିଛି । ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମରେ ଅଭିନୟ କରି ସେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ବର୍ତ୍ତମାନ ଅକ୍ଷୟ ନିଜର ଆଗାମୀ ଫିଲ୍ମ ‘ପ୍ୟାଡମ୍ୟାନ’ର ରିଲିଜ ଅପେକ୍ଷା ଅଛନ୍ତି ଏବଂ ଫିଲ୍ମଟିର ପ୍ରମୋଶନରେ ମଧ୍ୟ ଖୁବ୍ ବ୍ୟସ୍ତ ଅଛନ୍ତି ।

ତେବେ ଅକ୍ଷୟ କୁମାରଙ୍କ ଅଭିନିତ ସିନେମା ‘ପ୍ୟାଡମ୍ୟାନ’ ଏକ ବାସ୍ତବ କାହାଣୀ ଉପରେ ଆଧାରିତ । ଜଣେ ବ୍ୟକ୍ତିର ସଂଘର୍ଷର କାହାଣୀ ଏହି ସିନେମାଟିରେ ଚିତ୍ରଣ କରାଯାଇଛି । ଏହି ସିନେମାରେ ଅକ୍ଷୟ କୁମାର ଜଣେ ଶସ୍ତା ନାପକିନ ତିଆରି କରୁଥିବା ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି । ଯାହାଙ୍କର ନାଁ ହେଉଛି ଅରୁଣାଚଳମ ମୁରୁୁଗଅନନ୍ତମ । ଯିଏ ନିଜର କଠିନ ପରିଶ୍ରମରେ ମହିଳାଙ୍କ ଜୀବନକୁ ସହଜ କରିବାକୁ ଚେଷ୍ଟା କରିଛନ୍ତି । ଏହି ଫିଲ୍ମ ଆର .ବାଲ୍କୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ଏବଂ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ହେଉଛନ୍ତି ସିନେମାର ପ୍ରଯୋଜିକା । ସିନେମାଟି ଅରୁଣାଚଳମଙ୍କ ଜୀବନର ବାସ୍ତବ କାହାଣୀ ଉପରେ ଆଧାରିତ । ତେବେ ଆସନ୍ତୁ ଜାଣିବା କିଏ ଏହି ଅରୁଣାଚଳମ ।

୧୯୬୨ରେ ତାମିଲନାଡୁର କୋୟେମ୍ବଟୁରରେ ଅରୁଣାଚଳମ ମୁରୁଗଅନନ୍ତମଙ୍କ ଜନ୍ମ । ଏକ ଦୁର୍ଘଟଣାରେ ତାଙ୍କ ବାପାଙ୍କର ଦେହାନ୍ତ ହେବାପରେ ତାଙ୍କ ପରିବାର ଲୋକଙ୍କୁ ସାମ୍ନା କରିବାକୁ ପଡିଥିଲା ଅନେକ କଷ୍ଟ ଏବଂ ପିଲାଙ୍କୁ ମଣିଷ କରିବା ପାଇଁ ଅରୁଣାଚଳମଙ୍କ ମାଆ ବିଲରେ ଖାରାତରାରେ ଖଟିବାକୁ ବାଧ୍ୟ ହୋଇଥିଲେ । ତେବେ ଦରିଦ୍ରତା କାରଣରୁ ଅରୁଣାଚଳମଙ୍କୁ ଅଧାରୁ ପାଠପଢା ଛାଡିବାକୁ ପଡିଥିଲା ଏବଂ ମାତ୍ର ୧୪ ବର୍ଷ ବୟସରୁ ହିଁ ସେ ମାଆଙ୍କ ସହ ବିଲରେ କାମ କରିବାକୁ ଅଂଟା ଭିଡିଥିଲେ ।୧୯୯୮ରେ ଅରୁଣାଚଳମଙ୍କର ବିବାହ ଶାନ୍ତି ନାମକ ଯୁବତୀଙ୍କୁ ବିବାହ କରିଥିଲେ । ନାପକିନ ମହଙ୍ଗା ହୋଇଥିବାରୁ ତାଙ୍କର ପତ୍ନୀ ପିରିୟଡସରେ ଖରାପ କପଡ଼ା ଏବଂ ଖବର କାଗଜ ବ୍ୟବହାର କରୁଥଲେ,ଯାହା ଅରୁଣାଚଳମଙ୍କ ନଜରରେ ପଡ଼ିଥିଲା । ଏହା ପରେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସେ ଉପାୟ ଖୋଜିଥିଲେ ।

ପ୍ରଥମେ ସେ କଟନ ବ୍ୟବହାର କରି ପ୍ୟାଡ ତିଆରି କରିବା ଆରମ୍ଭ କଲେ,କିନ୍ତୁ ତାଙ୍କ ପତ୍ନୀ ଓ ଭଉଣୀ ଲାଜରେ ଏହାକୁ ଖାରଜ କରି ଦେଇଥିଲେ ଏବଂ ଦୁଇ ଜଣ ତାଙ୍କୁ ସହଯୋଗ କରିବାକୁ ମଧ୍ୟ ମନା କରି ଦେଇଥିଲେ । ଏହି କାମ ପାଇଁ ତାଙ୍କୁ କେହି ନ ମିଳିବାରୁ ସେ ନିଜେ ଏହାର ପରୀକ୍ଷଣ କରିବା ଆରମ୍ଭ କରିଦେଲେ । କିନ୍ତୁ ଗାଁ ଲୋକ ତାଙ୍କୁ ଖୁବ୍ ବିରୋଧ କରିଥିଲେ । ଦୁଇ ବର୍ଷ ଯାତ୍ରା ପରେ ସେ ଜାଣିବାକୁ ପାଇଥିଲେ ଯେ, ଆଧୂନିକ ପ୍ୟାଡ଼ ସେଲ୍ୟୁଲୋଜରୁ ତିଆରି ହୋଇଥାଏ । କିନ୍ତୁ ଏହାକୁ ତିଆରି କରୁଥିବା ଯନ୍ତ୍ର ଖୁବ ମହଙ୍ଗା ହୋଇଥିବାରୁ ସେ ନିଜେ ଏହାକୁ ତିଆର କରିବାକୁ ଚେଷ୍ଟା କରିଥିଲେ । ଏହାପରେ ସେ ୬୫୦୦୦ ଟଙ୍କାର ଏକ ଯନ୍ତ୍ର ତିଆରି କରିଥିଲେ ଏବଂ ସେଥିରେ ପ୍ୟାଡ ତିଆରି କରିବା ଆରମ୍ଭ କରିଥିଲେ ।

ପରବର୍ତ୍ତୀ ସମୟରେ ଅରୁଣାଚଳମଙ୍କର ଏହି ପ୍ରୟୋଗ ଦୁନିଆରେ ପରିଚିତ ହେଲା ଏବଂ କେତେକ ମହିଳାଙ୍କ ଜୀବନ ପରିବର୍ତ୍ତନରେ ସେ ଏକ ମୁଖ୍ୟ ଭୂମିକା ଗ୍ରହଣ କଲେ । ତାଙ୍କ ଠାରୁ ଅନ୍ୟ କେତେକ ଉଦ୍ୟୋଗୀ ମଧ୍ୟ ପ୍ରେରଣା ନେଲେ । ତାଙ୍କର ଏହି ମିନି ମେସିନ ୨୯ରୁ ୧୩ଟି ରାଜ୍ୟରେ ବ୍ୟବହାର କରାଯାଉଛି ଏବଂ ଏହି ପ୍ୟାଡ ବଜାରରେ ଅନ୍ୟ ପ୍ୟାଡ ଅପେକ୍ଷା ଏକ ପ୍ରତିଶତ କମ ମୂଲ୍ୟରେ ମିଳୁଛି । ସେ ତାଙ୍କର ଏହି ପ୍ରୋଜେକ୍ଟକୁ ୧୦୬ଟି ଦେଶରେ ପହଂଚାଇବାକୁ ଲକ୍ଷ୍ୟ ରଖିଛନ୍ତି ।