ମାଧୁରୀଙ୍କ ଜୀବନୀକୁ ନେଇ ଟିଭି ସୋ’ କରିବେ ପ୍ରିୟଙ୍କା

33

ବଲିଉଡ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ନେନେଙ୍କ ଜୀବନୀ ଉପରେ ଆମେରିକାରେ ଏକ ଟିଭି ସିରିଜ ଆରମ୍ଭ ହେବାକୁ ଯାଉଛି । ଏହି ସୋ’ ଅନ୍ୟ କେହି ନୁହେଁ , ଆମ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ପ୍ରସ୍ତୁତ କରୁଛନ୍ତି ପ୍ରିୟଙ୍କା ଏହାପୂର୍ବରୁ ଅନେକ ଚଳଚ୍ଚିତ୍ର ପ୍ରଯୋଜନା କରିସାରିଛନ୍ତି । ଚଳିତବର୍ଷ ତାଙ୍କ ପ୍ରଯୋଜିତ ଏକ ଚଳଚ୍ଚିତ୍ରକୁ ମଧ୍ୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ହଲିଉଡ୍ ଓ ଆମେରିକୀୟ ଟିଭି ସିରିଜ୍ ‘କ୍ୱାଣ୍ଟିକୋ’ ରେ ନିଜର ଜଲୱା ଦେଖେଇ ସାରିଥିବା ପ୍ରିୟଙ୍କା ଏବେ ସେଠାରେ ବି ପ୍ରଯୋଜନା କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି । ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ମାଧୁରୀଙ୍କ ପ୍ରଶଂସକମାନେ ସେମାନଙ୍କ ଖୁସି ପ୍ରକାଶ କରିଛନ୍ତି ।

ସ୍କ୍ରିନରାଇଟର ଶ୍ରୀ ରାଓ ଏହାର କାହାଣୀ ଲେଖିବେ । ଶ୍ରୀ ରାଓ ନିଜେ ଏହି ଖବରଟି ଟ୍ୱିଟରରେ ଦେବା ପରେ ସଙ୍ଗେ ସଙ୍ଗେ ଏହି ଦୁଇ ବଲିଉଡ୍ ସୁନ୍ଦରୀଙ୍କ ପ୍ରଶଂସକମାନେ ରିଟ୍ୱିଟ୍ କରିବା ଆରମ୍ଭ କରିଦେଇଥିଲେ । ବଲିଉଡର ଏହି ଦୁଇ ଅଭିନେତ୍ରୀ ଏକାଠି ହେବା ଖବରରେ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ଖୁସି ହୋଇଛନ୍ତି । ଟିଭି ସୋ’ରେ ମାଧୁରୀଙ୍କୁ ମୁଖ୍ୟ ଚରିତ୍ରରେ ବି ନେବାକୁ ପ୍ରଶଂସକମାନେ ପ୍ରସ୍ତାବ ଦେବା ଆରମ୍ଭ କରିଦେଇଛନ୍ତି । ତେବେ ଏଥିରେ କାହାକୁ ମାଧୁରୀଙ୍କ ଭୂମିକାରେ ନିଆଯିବ, ତାହା ସ୍ଥିର ହୋଇନାହିଁ ।