ଓଲିଉଡରେ ପ୍ରବେଶ କରିବେ ଆଉ ଜଣେ ନୂଆ ନାୟକ : ଫିଲ୍ମ ‘ଯୋଗୀ’ରେ ଆସିବେ ନଜର

195

ଓଲିଉଡକୁ ଅନେକ ସମୟରେ ନୂଆ କଳାକାରମାନଙ୍କର ଆଗମନ ହୋଇଥାଏ । ଏବେ ମୁମ୍ବାଇରେ ରହୁଥିବା ଜଣେ ଓଡ଼ିଆ ଯୁବକଙ୍କର ଇତିମଧ୍ୟରେ ଓଡ଼ିଆ ଚଳଚିତ୍ର ଶିଳ୍ପରେ ପ୍ରବେଶ ଘଟିଛି । ନାଆଁ ତାଙ୍କର ଆର୍ଯ୍ୟନ ଦାଶ କୁମାର । ତାଙ୍କର ବୟସ ମାତ୍ର ୨୬ ବର୍ଷ । ଆର୍ଯ୍ୟନଙ୍କର ପୈତୃକ ଘର ପୁରୀ ସହରରେ । କିନ୍ତୁ ତାଙ୍କ ବାପା ଏୟାର ଫୋର୍ସ ଅଧିକାରୀଭାବେ କାର୍ୟ୍ୟରତ ଥିବା ହେତୁ ସେ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି । ଆର୍ଯ୍ୟନ୍‌ ସଂପ୍ରତି ସୁଟିଂ ଚାଲିଥିବା ଏକ ନୂଆ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମର ଟାଇଟଲ୍‌ ହେଲା ‘ଯୋଗୀ’ । ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ସିନେମା ‘ ଯୋଗୀ’ ର ମେଲ୍‌ ଲିଡ୍‌ରେ ଥିବା ଓଡ଼ିଆ ନାୟକ ଆର୍ଯ୍ୟନ ଏୟାର କ୍ରାଫ୍ଟ ଇଂଜିନିୟରିଂରେ ଡିଗ୍ରୀ କରିବା ପରେ ମୁମ୍ବାଇର କିଶୋର ନମିତ୍‌ ଆକ୍ଟିଂ ଇନ୍‌ଷ୍ଟିଚ୍ୟୁଟରେ ଆକ୍ଟିଂ କୋର୍ସ କରିଥିଲେ । ତା’ପରେ ସେ ପ୍ରଖ୍ୟାତ ଅଭିନେତା ଅନୁପମ ଖେରଙ୍କ ସହିତ ଥିଏଟର୍‌ ରେ କାମ କରିଥିଲେ।

ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ନାନା ପାଟେକରଙ୍କ ସହକାରୀ ଭାବେ କନ୍ନଡ ସିନେମାରେ କାମ କରିଥିଲେ ।ଆପଣଙ୍କୁ କିପରି ଓଡ଼ିଆ ସିନେମା ‘ଯୋଗୀ’ରେ ନାୟକ ଭୂମିକା ମିଳିଲା ବୋଲି ପ୍ରଶ୍ନ କରାଯିବାରୁ ଆର୍ଯ୍ୟନ ଦାଶ କୁମାର କହନ୍ତି ‘ଓଡ଼ିଆ ସିନେମା ‘ ଯୋଗୀ’ ର ପ୍ରଯୋଜକ ଶ୍ରୀଧର ମାର୍ଥା ସାର୍‌ ମୋତେ ଫୋନ୍‌ କରି ଏହି ଫିଲ୍ମର ଅଫର୍‌ ଦେଇଥିଲେ । ଯେହେତୁ ମୁଁ ଆଗରୁ କେତୋଟି ଓଡ଼ିଆ ମ୍ୟୁଜିକ୍‌ ଭିଡିଓ- ସାଥିୟା, ପ୍ରେମରେ ତୋର ଦିଓ୍ଵାନ ହେଲି ଓ ମୋର ମାଆରେ ମେଲ ଲିଡ୍‌ରେ କାମ କରି ସାରିଥିଲି ଏବଂ ନିଜେ ଜଣେ ଓଡ଼ିଆ , ତେଣୁ ଓଡ଼ିଆ ସିନେମାରେ ହିରୋ ହେବାର ଅଭିଳାଷ ଥିଲା । ମୁଁ ମାର୍ଥା ସାରଙ୍କ ଅଫର୍‌କୁ ସ୍ୱୀକାର କରିଲି ଓ ‘ ଯୋଗୀ’ ରେ କାମ କରିଲି । ‘ଯୋଗୀ’ ରେ ମୋ’ ଅଭିନୀତ ଚରିତ୍ରର ନାଆଁ ହେଲା ପ୍ରଭୁ। କାହାଣୀ ଅନୁଯାୟୀ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ । ଆଉ ସେ ଜଣେ ଗାନ୍ଧିବାଦୀ ପରିବାରର ଝିଅକୁ ଭଲ ପାଉଛି ।’

ଏହି ସିନେମାରେ ଆର୍ଯ୍ୟନଙ୍କ ବିପକ୍ଷରେ ଅଛନ୍ତି ଓଲିଉଡର ଜଣାଶୁଣା ଶିଶୁ କଳାକାର ନିକିତା । କଟକର ନିକିତାଙ୍କ ସହ ତାଙ୍କର ଯୋଡି ଜମିଯିବ ବୋଲି ଆର୍ୟନ୍‌ ଆଶବାଦୀ। ତା’ଛଡ଼ା ‘ଯୋଗୀ’ ସିନେମା ତାଙ୍କ କ୍ୟାରିଅରକୁ ନୂଆ ମୋଡ ଦେବ ବୋଲି ବି ସେ କହିଛନ୍ତି। ‘ଯୋଗୀ’ରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ଜୟୀରାମ ସାମଲ, ସ୍ନିଗ୍ଧା ମହାନ୍ତି ,ହର ରଥ ,ମନୋଜ ମିଶ୍ର,ଶ୍ୟାମଳେନ୍ଦୁ ଏବଂ ଅରବିନ୍ଦ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଦୀପକ କୁମାର ଏହାର ସଙ୍ଗୀତ ନିର୍ଦ୍ଦେଶକ। ଇତିମଧ୍ୟରେ ଏହାର ଅଧାରୁ ଅଧିକ ସୁଟିଂ ସରିଥିବାର ସୂଚନା ଦେଇଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା।