ହ୍ରିତିକ୍‌ଙ୍କ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛନ୍ତି କଙ୍ଗନା!

37

ହ୍ରିତିକ୍‌ ରୋଶନ୍‌ଙ୍କ ଜୀବନକୁ ଫେରି ଆସୁଛନ୍ତି କଙ୍ଗନା । ଆପଣ ଭାବୁଥିବେ, କଳି ଝଗଡ଼ାକୁ ଭୁଲି ଏ ଦୁଇ ପୁରୁଣା ପ୍ରେମିକ-ପ୍ରେମିକା ପୁଣି ଏକାଠି ହେବାକୁ ଯୋଜନା କରୁଛନ୍ତି! କିନ୍ତୁ ସେମିତି କିଛି ନୁହେଁ । ଅସଲରେ ତାଙ୍କର ଏଇ ପୂର୍ବତନ ପ୍ରେମିକ ଉପରେ କଙ୍ଗନାଙ୍କ ପ୍ରତିଶୋଧର ଦ୍ୱିତୀୟ ଭାଗ ଖୁବ୍‌ ନିକଟରେ ଆରମ୍ଭ ହେବାକୁ ଯାଉଛି । କଙ୍ଗନାଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ ହ୍ରିତିକଙ୍କ ସହିତ ତାଙ୍କ ସଂପର୍କର ଚମକାଇ ଦେବାଭଳି କିଛି ନୂଆ କଥା ସେ ପ୍ରକାଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସେ ଏମିତି କିଛି ଘଟଣା ଉପରୁ ପରଦା ହଟାଇବାକୁ ଯାଉଛନ୍ତି, ଯାହା ହ୍ରିତିକଙ୍କ ସୁନାପୁଅ ଇମେଜ୍‌କୁ ଯଥେଷ୍ଟ ଖରାପ କରିଦେବ ।

ସୂଚନାଯୋଗ୍ୟ ଯେ ହ୍ରିତିକ ଓ କଙ୍ଗନାଙ୍କ ଭିତରେ ଏକଦା ସଂପର୍କ ଥିଲା ବୋଲି ଶୁଣା ଯାଏ । ସେ ସଂପର୍କ ଭାଙ୍ଗିଯିବା ପରେ କଙ୍ଗନା ସୋସିଆଲ୍‌ ମିଡିଆରେ କିଛି କଥା ଲେଖିଥିଲେ, ଯାହା ଉପରେ ହ୍ରିତିକ ମଧ୍ୟ କଟୂଭାଷାରେ ଲେଖିଥିଲେ । ସେ ପରୋକ୍ଷରେ ଲେଖିଥିଲେ ଯେ ସେମାନଙ୍କ ଭିତରେ କିଛି ସଂପର୍କ ନ ଥିଲା, ଚର୍ଚ୍ଚାରେ ରହିବାଲାଗି କଙ୍ଗନା ସେମିତି କରୁଛନ୍ତି । ସେ କଙ୍ଗନାଙ୍କୁ ଜଣେ ହିତାହିତ ଜ୍ଞାନଶୂନ୍ୟ ଝିଅ ବୋଲି ମଧ୍ୟ ଗାଳି ଦେଇଥିଲେ । ସେ କଥାଟି କଙ୍ଗନାଙ୍କୁ ଭାରି ରଗାଇ ଦେଇଥିଲା । ମାମଲା ଆଗେଇ ଯାଇଥିଲା । ଉଭୟ ପକ୍ଷ ପରସ୍ପର ପାଖକୁ ଓକିଲ ନୋଟିସ୍‌ ପଠାଇଥିଲେ। କେବଳ ସେତିକି ନୁହେଁ, ପ୍ରେମ ଚାଲିଥିବାବେଳେ ସେ ଦେଇଥିବା ଇ-ମେଲ୍‌କୁ ମଧ୍ୟ ହ୍ରିତିକ ବାହାରେ ପ୍ରକାଶ କରି ଦେଇଥିଲେ ।

ତେବେ ତା’ପରେ ସେ ମାମଲା ଥଣ୍ଡା ପଡ଼ି ଯାଇଥିଲା । ହ୍ରିତିକ ଭାବୁଥିଲେ, କଙ୍ଗନା ସବୁ ଭୁଲି ଗଲେଣି । କିନ୍ତୁ କଙ୍ଗନାଙ୍କ ସାଙ୍ଗମାନେ କହୁଛନ୍ତି, କଙ୍ଗନା ଏବେ ଗୋଟେ ଧମାକାର ସହିତ ହ୍ରିତିକଙ୍କ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି । ସେଥିରେ କାଳେ ହ୍ରିତିକଙ୍କ ଆଦର୍ଶ ସ୍ୱାମୀ ଓ ବାପାର ପରିଚୟ ଅନେକଟା ନଷ୍ଟ ହୋଇଯିବାର ଆଶଙ୍କା ଅଛି । ତାଙ୍କୁ ଆଘାତ ଦେଇଥିବା ଲୋକଙ୍କୁ ସହଜରେ କ୍ଷମା କରିବା ଭଳି ଝିଅ କଙ୍ଗନା ନୁହନ୍ତି । ଜୀବନରେ ଆଗକୁ ଯିବା ପୂର୍ବରୁ ସେ ହ୍ରିତିକଙ୍କ ଉପରେ ଶେଷ ପ୍ରତିଶୋଧ ନେବାକୁ ସ୍ଥିର କରିଛନ୍ତି ।