‘ସୁନ୍ଦରୀ’ କଲା ମଣିଷ ଶିକାର! ସାତକୋଶିଆ ଟାଇଁସି ଗାଁରେ ଉତ୍ତେଜନା । ପୋଲିସ ଗାଡିକୁ ଭାଙ୍ଗିଲେ ଉତ୍ୟକ୍ତ ଲୋକେ

41

କନକ ବ୍ୟୁରୋ: ସୁନ୍ଦରୀର ପୁଣି ମଣିଷ ଶିକାର । ପୁଣି ସାତକୋଶିଆରେ ବାଘୁଣୀ ଆତଙ୍କ । ଅନୁଗୁଳ ଟାଇଁସିରେ ଜଣେ ଲୋକଙ୍କୁ ମାରିଛି ସୁନ୍ଦରୀ । ମୃତ ବ୍ୟକ୍ତିଙ୍କ ନାଁ ତ୍ରିନାଥ ସାହୁ । ସେ ମାଛ ମାରୁଥିବା ବେଳେ ସୁନ୍ଦରୀ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ମାଛ ଗୁଡିକ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ଦେଖା ଦେଇଛି । ଘଟଣାସ୍ଥଳକୁ ଯାଉଥିବା ପୋଲିସ ଗାଡିକୁ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ଅନୁଗୁଳ ଏସପି ହରିହର ପାଣିଙ୍କ ନେତୃତ୍ୱରେ ତିନି ପ୍ଲାଟୁନ୍ ପୋଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ମୃତଦେହ ପାଖକୁ ପୋଲିସକୁ ଯିବାକୁ ଦେଉନାହାଁନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିଥିଲେ । ଉତ୍ୟକ୍ତ ଲୋକେ ଏସିଏଫଙ୍କୁ ଅଟକ ରଖିଥିଲେ । ତେବେ ବାଘୁଣୀ ସେହି ସ୍ଥାନ ଛାଡି ଯାଉ ନଥିବା ଜଣାପଡିଛି । ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସୁନ୍ଦରୀ ଆକ୍ରମଣ କରିଛି । ଏବଂ ଆହତ ସାମ୍ବାଦିକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

କିଛି ଦିନ ତଳେ ସାତକୋଶିଆ ଅଂଚଳରେ ମଣିଷ ଶିକାର କରିଥିଲା ସୁନ୍ଦରୀ । ହାତୀବାରି ଗାଁରେ ଜଣେ ମହିଳାଙ୍କୁ ମାରିଥିଲା ଏହି ବାଘୁଣୀ । ଏହି ଘଟଣାକୁ ନେଇ ସେତେବେଳେ ପ୍ରବଳ ଉତେଜନା ଦେଖାଦେଇଥିଲା । ଏପରିକି ସୁନ୍ଦରୀକୁ ବାନ୍ଧବଗଡକୁ ଫେରାଇ ନିଆଯିବା ପାଇଁ ମଧ୍ୟ ଦାବି ଜୋର ଧରିଥିଲା । ହେଲେ ପରେ ପୁଣି ତା’ ଉପରେ ନଜର ରଖିଥିଲେ ବନ କର୍ମଚାରୀ ।

ସେପଟେ, ସାମ୍ନାକୁ ଆସିଲା ମଣିଷଖିଆ ବାଘୁଣୀ ସୁନ୍ଦରୀର ନୂଆ ଦୃଶ୍ୟ । ନରସିଂହପୁର ଜିଲିଣ୍ଡା ରେଞ୍ଜ ଅଫିସ ନିକଟରେ ସୁନ୍ଦରୀକୁ ଦେଖିବାକୁ ମିଳିଥିଲା । ଜିଲିଣ୍ଡା ରେଞ୍ଜ ଅଫିସ ନିକଟରେ ସତ୍ୟଜୟପୁର ଗାଁ ନିକଟରେ ଦେଖାଦେଇଛି ସୁନ୍ଦରୀ । ଏହି ଚିତ୍ର ୫-୬ ଦିନ ତଳର ବୋଲି ଅନୁମାନ କରାଯାଉଛି । ଗତ କିଛି ଦିନ ହେଲା ସାତକୋଶିଆ ଛାଡ଼ି ଜଙ୍ଗଲରେ ବୁଲୁଛି ସୁନ୍ଦରୀ । ଆଉ ବିଭିନ୍ନ ସ୍ଥାନରେ ନିର୍ଭୟରେ ଘୁରି ବୁଲୁଥିବା ବାଘୁଣୀର ଚିତ୍ର କ୍ୟାମେରାରେ କଏଦ ହୋଇଛି । ସ୍ଥାନୀୟ ଅଂଚଳରେ ସୁନ୍ଦରୀ ଏବେ ଭୟର ବାତାବରଣ ସୃଷ୍ଟି କରିଛି ।