ଚିଠି ଖୋଲିଦେଲା ଇଂରାଜୀ ଅଧ୍ୟାପକଙ୍କ ଗୁମର ! ଫିଟିଲା ପାଟଣାଗଡ ବୋମା ରହସ୍ୟ, ପ୍ରିନସପାଲ ପଦ ମିଳିଲାନି ବୋଲି ବୋମା ଉପହାର ପଠାଇ ନିଆଯାଇଥିଲା ପ୍ରତିଶୋଧ

94

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମାର ରହସ୍ୟମୟ ଅପରାଧ କାହାଣୀରେ ଶେଷରେ ଯବନିକା ପଡିଛି । ଗତ ଦୁଇ ମାସ ଧରି ପୋଲିସ ନାକେଦମ୍ ହୋଇଯାଇଥିଲା, ଏହି ଅପରାଧର ମୂଳରେ ପହଁଚିବାକୁ । ଶେଷରେ ଘରପାଖରେ ଧରାପଡିଲା ଷଡଯନ୍ତ୍ରକାରୀ ଇଂରାଜୀ ଅଧ୍ୟାପକ । ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟଶେଖରଙ୍କ ମାଆ ଯେଉଁ କଲେଜରେ ପ୍ରିନ୍ସିପାଲ୍ ଥିଲେ ସେହି କଲେଜର ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେର, ପ୍ରିନ୍ସିପାଲ୍ ହେବାକୁ ଖୁବ୍ ଆଗ୍ରହୀ ଥିଲେ । ଏହାକୁ ନେଇ ଦୀର୍ଘଦିନ ଧରି ବିବାଦ ଥିଲା । ଆଉ ଏହି କାରଣରୁ ପୁଂଜିଲାଲ ଏତେବଡ ଅପରାଧ ଘଟାଇଲେ ବୋଲି ପୋଲିସ କହିଛି ।

ପୁଞ୍ଜିଲାଲ ମେହେର । ଗାଉଁଲି କଲେଜର ଏହି ଇଂରାଜୀ ଅଧ୍ୟାପକ ଓଡିଶା ଇତିହାସର ସବୁଠୁ ରହସ୍ୟମୟ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ବୋଲି ଜଣାପଡିଛି । ପାଟ୍ଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ପ୍ରାୟ ୨ ମାସ ଧରି ଦିଗହରା କରିଥିବା ଏହି ଷଡଯନ୍ତ୍ରକାରୀକୁ ଶେଷରେ ଚିହ୍ନି ପାରିଛି ପୋଲିସ । ପୁଞ୍ଜିଲାଲ ହିଁ ପାର୍ସଲରେ ମୃତ୍ୟୁର ବୋମା ପଠାଇ ରକ୍ତର ହୋଲି ଖେଳିଥିବା ନେଇ ମିଳିଛି ସୁରାଗ ।

ବଲାଙ୍ଗିର ଜିଲ୍ଲା ଭଇଁସା କଲେଜରେ ପିଲାଙ୍କୁ ପାଠ ପଢାଉଥିବା ଏହି ଅଧ୍ୟାପକଙ୍କ ଘରୁ ଅଧ ବ୍ୟାଗ ବିସ୍ଫୋରକ ମିଳିବା ପରେ ଏନେଇ ସ୍ପଷ୍ଟ ହୋଇଯାଇଛି କ୍ରାଇମବ୍ରାଂଚ ଏସଆଇଟି । ତାଙ୍କ ଲାପଟପ, ମୋବାଇଲ ଫୋନ ଓ ଟେଲିଫୋନ ଡାଏରୀକୁ ଜବତ କରି ଏହି ରହସ୍ୟମୟ ହତ୍ୟାକାଣ୍ଡର ଭେଦ ଖୋଜିବାକୁ ଉଦ୍ୟମ ଚଳାଇଛି । ଏବେ ତଦନ୍ତ ଟିମର ନଜର କେତୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କେନ୍ଦ୍ରୀଭୂତ ହୋଇଛି ।
– ପାର୍ସଲ ଭିତରେ ଉଚ୍ଚ କ୍ଷମତାସଂପନ୍ନ ବୋମା ରଖି କୋରିଅର ଜରିଆରେ ପଠାଇବା
– ପାର୍ସଲଟି ଉପଯୁକ୍ତ ଠିକଣାରେ ପହଂଚିବା ପରେ ଖୋଲିବା ସମୟରେ ହିଁ ବିସ୍ଫୋରଣ
– ଏବଂ ସବୁଠାରୁ ବଡକଥା ହେଉଛି ପରିଚୟ ଗୋପନ ରଖିବାକୁ ରାୟପୁରରୁ ପଠାଇବା

ଗ୍ରାମାଂଚଳର ଏକ କଲେଜରେ ପାଠ ପଢାଉଥିବା ଜଣେ ଅଧ୍ୟାପକ ଏଭଳି ଏକ ସାଙ୍ଘାତିକ ହତ୍ୟାକାଣ୍ଡର ପ୍ଲଟ ତିଆରି କରିବାରେ ଆଉ କେଉଁମାନେ ସହାୟତା କରିଛନ୍ତି ତାର ଚେର ଖୋଜୁଛି କ୍ରାଇମବ୍ରାଂଚ ପୋଲିସ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଅସହିଷ୍ଣୁତା କିଭଳି ସାଙ୍ଘାତିକ ରୂପ ନେଇପାରେ ତାହାର ପ୍ରମାଣ ଦେଖିବାକୁ ମିଳିଛି । ଉପହାର ଭିରତରେ ମୃତ୍ୟୁ ପଠାଇ ବୋଧହୁଏ ପୁରା ପରିବାକୁ ଶେଷ କରିଦେବାକୁ ହୋଇଥିଲା ଷଡଯନ୍ତ୍ର । ଯେଉଁଥିରେ ଜଣେ ୫ ଦିନର ସଧବା ମୁଣ୍ଡରୁ ସିନ୍ଦୁର ଲିଭିଯାଇଛି । ପରିଣତ ବୟସରେ ବାପା ମାଆଙ୍କଠାରୁ ଛଡାଇ ନେଇଛି ସବୁ ସୁଖ ।

କିଭଳି ଥିଲା ଏହି ହତ୍ୟାକାଣ୍ଡର ପୁରା ପ୍ରକ୍ରିୟା ଏବଂ ହତ୍ୟା ପଛରେ ପାରିବର ସହ ପୁଞ୍ଜିଲାଲଙ୍କ ବିବାଦ ନା ଆଉକିଛି କାରଣ ରହିଛି ସେନେଇ ଦିନେ ଦୁଇଦିନ ଭିତରେ ଖୁଲାସା କରିବ କ୍ରାଇମବ୍ରାଂଚ ପୋଲିସ ।