ମାଟ୍ରିକ୍ ପରୀକ୍ଷାରେ କପିର କଳଙ୍କ ! ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ, ୩ଟି କେନ୍ଦ୍ରରେ ଇଂରାଜୀ ପରୀକ୍ଷା ବାତିଲ୍ ।

131

କନକ ବ୍ୟୁରୋ : ଗତକାଲି ରାଜ୍ୟରେ ମାଟ୍ରିକ୍ ପରୀକ୍ଷାକୁ ନେଇ କପି ବାବଦରେ ଯେଉଁ ଖବର ସାମ୍ନାକୁ ଆସିଥିଲା, ତାକୁ ନେଇ ଆଜି ବୋର୍ଡ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କପି ହୋଇଥିବା ୩ଟି ହାଇସ୍କୁଲରେ ଇଂରାଜୀ ପରୀକ୍ଷାକୁ ବାତିଲ କରାଯାଇଛି । ଏହି ୩ଟି ହାଇସ୍କୁଲ ମଧ୍ୟରେ ରହିଛି, କଟକ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ୍ ହାଇସ୍ୁଲ, ବଲାଙ୍ଗୀରର ଘୁମସାର ସରକାରୀ ହାଇସ୍କୁଲ ଏବଂ ଢେଙ୍କାନାଳ ଜିଲ୍ଲା ପଳାସପିଠାର ପି. ଆର ହାଇସ୍କୁଲ ରହିଛି ।

ଏହି ୩ଟି ସ୍କୁଲରେ କପି ଏବଂ ବିଶ୍ୱଙ୍ଖଳା ସୃଷ୍ଟି ହୋଇଥିବା କାରଣରୁ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ୩ଟି ସେଣ୍ଟରର ଇଂରାଜୀ ଖାତା ମୂଲ୍ୟାୟନର ନିଷ୍ପତ୍ତି ପରେ ନିର୍ଦ୍ଧାରଣ କରାଯିବ । ଆସନ୍ତା ୭ ଦିନ ମଧ୍ୟରେ ବୋର୍ଡର ପରୀକ୍ଷା କମିଟି ବସି ଏନେଇ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ତେବେ ଆଗକୁ ଯେଉଁ ପରୀକ୍ଷା ଗୁଡିକ ହେବାର ରହିଛି, ସେନେଇ ଏହି ପରୀକ୍ଷା କେନ୍ଦ୍ର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ରହିବ । ବିଶେଷ କରି ପୋଲିସ ସୁରକ୍ଷା ଯୋଗାଇ ଦେବା ପାଇଁ ଏସପିଙ୍କୁ ଡିଇଓଙ୍କ ପକ୍ଷରୁ କୁହାଯିବ । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍ । ସୂଚନାଯୋଗ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଯାଇଛି। ପ୍ରଥମ ଦିନ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ୧୨ ଜଣ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ୫ ଜଣ ଗିରଫ ହୋଇଛନ୍ତି।