ଆଜିଠାରୁ ଇଂଲଣ୍ଡ-ଇଣ୍ଡିଆ ଦିନିକିଆ ସିରିଜ: କ୍ୟାପଟେନ୍ସିରୁ ଧୋନିଙ୍କ ଅବସର ପରେ କୋହଲିଙ୍କ ନେତୃତ୍ୱର ହେବ ପରୀକ୍ଷା

29

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ । ଆଜି ପୁଣେରେ ଦିନ ସାଢେ ଗୋଟାଏରେ ମୁହାଁମୁହିଁ ହେବେ ଦୁଇଦଳ । ଗତ ଡିସେମ୍ବରରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ୪-୦ରେ ଜିତି ଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି । ସେପଟେ ଇଂଲଣ୍ଡ, ଏବେ ଅନ୍ତର୍ଜାତୀୟ ଦିନିକିଆରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ୧୯୮୪-୮୫ ପରଠାରୁ ଭାରତମାଟିରେ ଗୋଟିଏ ସିରିଜ ଜିତିବାରେ ସଫଳ ହୋଇନାହିଁ । ଜୁନରେ ଇଂଲଣ୍ଡରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ ।

ଏହା ପୂର୍ବରୁ ଭାରତୀୟ ଦଳ କେବଳ ଇଂଲଣ୍ଡ ବିପକ୍ଷରେ ୩ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିବ । ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ରୋଚକ ହେବ ଆଜିର ମ୍ୟାଚ । କାରଣ ପ୍ରଥମଥର ଲାଗି କୋହଲିଙ୍କ କ୍ୟାପଟେନ୍ସିରେ ଖେଳିବେ ଧୋନୀ । ମହେନ୍ଦ୍ର ସିଂ ଧୋନୀ ଦିନିକିଆ ଅଧିନାୟକ ପଦ ଛାଡିବା ପରେ ବିରାଟ କୋହଲିଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇବ । ଆଉ ତାଙ୍କ ଅଧୀନରେ ଜଣେ ୱିକେଟ କିପର, ବ୍ୟାଟ୍ସମ୍ୟାନ ହିସାବରେ ଖେଳିବେ ଧୋନୀ । ଏହି ନୂଆ ସମୀକରଣ ନେଇ ଇଂଲଣ୍ଡକୁ ସାମ୍ନା କରିିବ ଟିମ୍ ଇଣ୍ଡିଆ ।

ଆଉ କ୍ୟାପଟେନ କୁଲଙ୍କ ସ୍ଥାନରେ ରଣନୀତି ପ୍ରସ୍ତୁତ କରିବେ କୋହଲି । ୪ବର୍ଷ ପରେ ଦିନିକିଆ ଦଳକୁ ଫେରିଛନ୍ତି ହାର୍ଡ ହିଟର ଯୁବରାଜ ସିଂ । ୨୦୧୧ ବିଶ୍ୱକପ ବିଜୟର ହିରୋ ୟୁବି ଶେଷଥର ପାଇଁ ଟି-୨୦ ଚାମ୍ପୟନସିପରେ ଖେଳିଥିଲେ । ଗତ ଅକ୍ଟୋବରରେ ରଣଜୀ ମ୍ୟାଚରେ ବେଶ ଭଲ ପ୍ରଦର୍ଶନ କରିଥିଲେ ଯୁବରାଜ । ବଡ ସଟ ଖେଳି ବିପକ୍ଷ ଦଳକୁ ବିପଦରେ ପକାଇ ଦେଉଥିବା ୟୁବିଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିବ ।