ଦିନିକିଆ କ୍ରିକେଟରେ ଇଂଲଣ୍ଡର ବିଶ୍ୱ ରେକର୍ଡ଼ ! ଅଷ୍ଟ୍ରେଲିଆ ବିପକ୍ଷରେ ୫୦ ଓଭରରେ କଲା ୪୮୧ ରନ, ୨୧ଟି ଛକା ଓ ୪୧ଟି ଚୌକା ବଳରେ ବାଉଣ୍ଡରୀରୁ ସଂଗ୍ରହ କଲା ୨୯୦ ରନ

56

କନକ ବ୍ୟୁରୋ : ଦିନିକିଆ କ୍ରିକେଟରେ ଇତିହାସ ରଚିଲା ଇଂଲଣ୍ଡ । ୪୮୧ ରନ ସହ ଦିନିକିଆ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ଼ ନିଜ ନାଁରେ କରିଛି ଇଂଲଣ୍ଡ । ଏହାସହ ପୂର୍ବରୁ ନିଜ ନାଁରେ ଥିବା ରେକର୍ଡ଼ ମଧ୍ୟ ଭାଙ୍ଗିଛି । ଟ୍ରେଣ୍ଟବ୍ରିଜରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚର ଏହି ବିରଳ ରେକର୍ଡ଼ ହାସଲ କରିଛି ଟିମ୍ ଇଂଲଣ୍ଡ । କଙ୍ଗାରୁ ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୪୮୧ ରନ କରିବାକୁ ସକ୍ଷମ ହୋଇଛି ।

ଏହି ହାଇଭୋଲଟେଜ ମ୍ୟାଚରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରୁ ଛକା ଓ ଚୌକାର ବର୍ଷା ଦେଖିବାକୁ ମିଳିଥିଲା । ଇଂଳଣ୍ଡ ଇନିଂସରେ ମୋଟ ୨୧ଟି ଛକା ଓ ୪୧ଟି ଚୌକା ଦେଖିବାକୁ ମିଳିଥିଲା । ମୋଟ ୨୯୦ ବାଉଣ୍ଡରୀରୁ ସଂଗ୍ରହ କରି ନେଇଥିଲା ଇଂଲଣ୍ଡ । ଅଷ୍ଟ୍ରେଲିଆର ପ୍ରତି ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରି ଚାଲିଥିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ । ଖାସକରି ଜନି ବେୟାରଷ୍ଟୋ ଓ ଆଲେକ୍ସ ହେଲ୍ସଙ୍କ ଧୂଆଁଧାର ଶତକ ବଳରେ ଇଂଲଣ୍ଡ ଏହି ରେକର୍ଡ଼ ନିଜ ନାଁରେ କରିଛି । ଉଭୟ ବେୟାରଷ୍ଟୋ ଓ ହେଲ୍ସ ସମାନ ସଂଖ୍ୟକ ୯୨ଟି ଲେଖାଏଁ ବଲ ଖେଳି ଧୂଆଁଧାର ୧୩୯ ଓ ୧୪୭ ରନ କରିଥିଲେ ।

ଶେଷ ଆଡ଼କୁ ମୋର୍ଗାନଙ୍କ ଆତସବାଜି ଇନିଂସରେ ଆତ୍ମସର୍ମପଣ କରିଥିଲେ ଅଷ୍ଟ୍ରେଲୀୟ ବୋଲର । ମୋର୍ଗାନ ୩୦ଟି ବଲରୁ ୬୭ ରନର ଜବରଦସ୍ତ ଇନିଂସ ସହ ଦଳୀୟ ସ୍କୋର ୪୫୦ ରନ ପାର କରିଥିଲେ । ତେବେ ନିର୍ଦ୍ଧାରିତ ୫୦ ଓଭରରେ ଦଳ ୪୮୧ ରନ କରିଥିଲା । ଏହା ପୂର୍ବରୁ ଦିନିକିଆରେ ସର୍ବୋଚ୍ଚ ରେକର୍ଡ଼ ମଧ୍ୟ ଇଂଲଣ୍ଡ ନାଁରେ ଥିଲା । ୨୦୧୬ ମସିହାରେ ଟ୍ରେଣ୍ଟ ବ୍ରିଜରେ ପାକିସ୍ତାନ ବିପକ୍ଷରେ ୪୪୪ ରନ କରି ଦିନିକିଆ କ୍ରିକେଟ ମ୍ୟାଚରେ ସର୍ବାଧିକ ରନ ସ୍କୋର କରି ରେକର୍ଡ଼ କରିଥିଲା ଇଂଲଣ୍ଡ । ଆଜି ନିଜର ପୂର୍ବ ରେକର୍ଡ଼କୁ ସେହି ଟ୍ରେଣ୍ଟବ୍ରିଜରେ ଭାଙ୍ଗିଛି ଦିନିକିଆ କ୍ରିକେଟର ବାଦଶାହା ଇଂଲଣ୍ଡ ।