“ଅନବରତ ଚେଷ୍ଟା ହିଁ ସତ୍ୟବାମାସାଟ୍” – ଇଂଜିନିୟରିଂ ବିଦ୍ୟାର୍ଥୀମାନେ ଗଢିଲେ ଉପଗ୍ରହ

41

କନକ ବ୍ୟୁରୋ : ଶେଷରେ ସଫଳ ହେଲା ଦୀର୍ଘ ଦିନର ଚେଷ୍ଟା ଓ ପରିଶ୍ରମ । ବର୍ତମାନ ସେମାନଙ୍କ ତିଆରି ଉପଗ୍ରହ ଦେଶର ବିକାଶ ପାଇଁ କାର୍ଯ୍ୟ କରୁଛି । ଏହି କାହାଣୀ ହେଉଛି କିଛି ଛାତ୍ରଛାତ୍ରୀଙ୍କର । ଯେଉଁମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି ଉପଗ୍ରହ ସତ୍ୟବାମାସାଟ୍ ବା ଏସବି ସାଟ୍ । ଜୁନ୍ ୨୨ରେ ପିଏସ୍ଏଲଭି ସି୩୪ରେ ଏକା ସଂଗେ ୨୦ଟି ଉପଗ୍ରହକୁ ପଠାଗଲା । ଏଥିରେ ସାମିଲ ଥିଲା ଏସବି ସାଟ୍ । ଗ୍ରୀନ ହାଉସ ବା ସବୁଜ ଘରର ପ୍ରଭାବ ଓ ଗ୍ରୀନ ହାଉସରୁ ନିର୍ଗତ ହେଉଥିବା ଗ୍ୟାସ ବିଷୟରେ ବିଷଦ ତଥ୍ୟ ସଂଗ୍ରହ କରୁଛି ଏହି ଉପଗ୍ରହ । ଏହାଦ୍ୱାରା ପରିବେଶ ଉପରେ କି ପ୍ରକାର କୁପ୍ରଭାବ ପଡୁଛି ତାହା ଜାଣିବା ସହଜ ହେବ । ୨୦୧୦ ରେ ଆରମ୍ଭ ହୋଇଥିଲା ଏହି ଉପଗ୍ରହ ନିର୍ମାଣ ପ୍ରକ୍ରିୟା । ସତ୍ୟଭାମା ବିଶ୍ୱବିଦ୍ୟାଳୟର ପାଖାପାଖି ୪୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ଏହି ପ୍ରକଳ୍ପରେ । ଏହି ପ୍ରକଳ୍ପ ପାଇଁ ସେମାନେ ଡିଜାଇନ୍ କରିଥିଲେ ବିଭିନ୍ନ ପ୍ରକାରର ଇଂଜିନ୍ । ଏହା ସହ ଉପଗ୍ରହର ଡିଜାଇନ୍ ବି କରିଥିଲେ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟିମକୁ ଭେଟିଥିଲେ । ଏହି ସମୟରେ ଏହି ଛାତ୍ରଛାତ୍ରୀ ମାନେ ପ୍ରତିରକ୍ଷା ବିଭାଗପାଇଁ ଏକ ଉପଗ୍ରହ ତିଆରି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।