ଏଣିକି ହେଲମେଟ ନପିନ୍ଧିଲେ ଷ୍ଟାର୍ଟ ହେବନି ଆପଣଙ୍କ ବାଇକ ! ମଦ ପିଇଲେ ଚାଲିବନି ଗାଡି ।

34

ଏଣିକି ହେଲମେଟ କହିବ ଆପଣ ମଦ୍ୟପାନ କରିଛନ୍ତି କି ନାହିଁ । ଏପରିକି ଯଦି ଆପଣ ମଦ୍ୟପାନ କରିଛନ୍ତି ତେବେ ଆପଣ ଆପଣଙ୍କ ବାଇକକୁ ଷ୍ଟାର୍ଟ କରିପାରିବେ ନାହିଁ । ରାଜସ୍ଥାନର ଆଜମେର ଠାରେ ମହିଳା ଇଞ୍ଜିନିୟରିଂ କଲେଜର ଛାତ୍ରୀମାନେ ଏକ ଚମତ୍କାର ଆବିଷ୍କାର କରିଛନ୍ତି । ସେମାନେ ଏମିତି ଏକ ହେଲମେଟ ତିଆରି କରିଛନ୍ତି, ଯାହାକୁ ନପିନ୍ଧିଲେ ଆପଣଙ୍କ ଗାଡି ଷ୍ଟାର୍ଟ ହେବ ନାହିଁ । କେବଳ ଏତିକି ନୁହେଁ , ଯଦି କୌଣସି ବ୍ୟକ୍ତି ମଦ୍ୟପାନ କରି ଏହି ହେଲମେଟ ପିନ୍ଧି ନିଜ ଦୁଇ ଚକିଆ ଯାନ ଷ୍ଟାର୍ଟ କରୁଛନ୍ତି ତେବେ ମଧ୍ୟ ଗାଡି ଷ୍ଟାର୍ଟ ହେବନାହିଁ । ଛାତ୍ରୀମାନଙ୍କ କହିବା କଥା ଯଦି ଏହି ହେଲମେଟର ବ୍ୟବହାର ଆରମ୍ଭ କରାଯାଏ ତେବେ ନିଶ୍ଚିତ ଭାବରେ ସଡକ ଦୁର୍ଘଟଣାକୁ କିଛି ମାତ୍ରାରେ ରୋକାଯାଇ ପାରିବ ।

ଆଜମେର ମହିଳା ଇଞ୍ଜିନିୟରିଂ କଲେଜରେ ପଢୁଥିବା ପ୍ରିୟଙ୍କା ଚୌହାନ, ପ୍ରିୟା ସୁନାରିଆ, ନେହା ଶର୍ମା ଏବଂ ପ୍ରିୟା ମିତଲ ଏଭଳି ହେଲମେଟ ତିଆରି କରିଛନ୍ତି ଯାହାକୁ ନ ପିନ୍ଧି ଆପଣ ଆପଣଙ୍କ ଗାଡିକୁ ଷ୍ଟାର୍ଟ କରିପାରିବେ ନାହିଁ । ଏହି ହେଲମେଟରେ ଏକ ଖାସ ସେନ୍ସର ଲଗାଯାଇଛି ଯାହାକି ଗାଡିରେ ଲାଗିଥିବା ଆଉ ଏକ ସେନ୍ସର ଦ୍ୱାରା କନେକ୍ଟ ହୋଇ ରହିବ । ହେଲମେଟ ପିନ୍ଧିବା ପରେ ହିଁ ସେନ୍ସର ଆକ୍ଟିଭ ହେବ ଏବଂ ତାପରେ ଯାଇ ଆପଣ ଆପଣଙ୍କ ଗାଡି ଷ୍ଟାର୍ଟ କରିପାରିବେ ।

ମଦ୍ୟପାନ କଲେ ଷ୍ଟାର୍ଟ ହେବ ନାହିଁ ଆପଣଙ୍କ ଗାଡି :

ଏହି ହେଲମେଟରେ ଆଉ ଏକ ବିଶେଷତ୍ୱ ହେଉଛି ଯଦି ଆପଣ ମଦ୍ୟପାନ କରିଛନ୍ତି ତେବେ ଆପଣ ଆପଣଙ୍କ ଗାଡି ଚଲାଇପାରିବେ ନାହିଁ । ପ୍ରକୃତରେ ଏହି ହେଲମେଟରେ ସେନ୍ସର ଏବଂ ଏମ ମଡ୍ୟୁଲାର ଲଗାଯାଇଛି । ଯାହା ଦ୍ୱାରା ଜଣାପଡିଯିବ ଯେ, ଚାଳକ ମଦ୍ୟପାନ କରିଛନ୍ତି କି ନାହିଁ । ଯଦି ଚାଳକ ମଦ୍ୟପାନ କରିଛନ୍ତି ତେବେ ହେଲମେଟରେ ଲାଗିଥିବା ମଡ୍ୟୁଲାର ଏହା ଜାଣିପାରିବ ଏବଂ ଆପଣଙ୍କ ଗାଡି ଷ୍ଟାର୍ଟ ହେବ ନାହିଁ ।

ଇଞ୍ଜିନିୟରିଂ କଲେଜରେ ଏହି ଛାତ୍ରୀମାନେ ଏହି ପ୍ରୋଜେକ୍ଟର ଡେମୋ ଆଜମେର ପୋଲିସ ଉପ ଅଧୀକ୍ଷକ ପ୍ରିତି ଚୌଧୁରୀଙ୍କ ସାମ୍ନାରେ ମଧ୍ୟ ଉପସ୍ଥାପିତ କରିଛନ୍ତି । ଡେମୋ ଦେଖିବା ପରେ ପୋଲିସ ଉପ ଅଧୀକ୍ଷକ ସବୁ ଛାତ୍ରୀମାନଙ୍କୁ ପ୍ରଂଶସା କରିବା ସହ ଏହି ପ୍ରୋଜେକ୍ଟକୁ ନେଇ ଉଚ୍ଚ ଅଧିକାରୀଙ୍କ ସହ କଥା ହେବେ ବୋଲି ଛାତ୍ରୀମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଯାହା ଦ୍ୱାରା ଏହି ହେଲମେଟ କୌଣସି ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କ ପାଖରେ ପହଞ୍ଚିପାରିବ । ଏହା ଦ୍ୱାରା ସଡକ ଦୁର୍ଘଟଣାର ସଂଖ୍ୟା ହ୍ରାସ ହୋଇପାରିବ ।