ଭାରତୀୟ ଇଞ୍ଜିନିୟରଙ୍କ କମାଲ ! ଗୋଟିଏ ଗଛରେ ଫଳାଇଲେ ୫୧ କିସମର ଆମ୍ବ, ବିଦେଶ ଚାକିରି ଛାଡି ଗାଁରେ କରୁଛନ୍ତି ଚାଷ ।

111

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ । କିଏ ଭଲ ପାଠ ପଢି ଡାକ୍ତର ହେବାକୁ ଚାହେଁ ତ ଆଉ କିଏ ଇଞ୍ଜିନିୟର, ଓକିଲ ଇତ୍ୟାଦି । କିନ୍ତୁ କେହି ହେଲେ ଭଲ ପାଠ ପଢି ଚାଷ କ୍ଷେତ୍ରରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖିନଥାନ୍ତି । କିନ୍ତୁ ସମ୍ପ୍ରତି ଯୁବ ସମାଜଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । କିଛି ମାତ୍ରାରେ ହେଉ ପଛେ କେତେକ ଯୁବ ବର୍ଗ କୃଷି କ୍ଷେତ୍ରରେ ଉନ୍ନତି ଆଣିବାରେ ଲାଗିଛନ୍ତି, ଯିଏକି ଲକ୍ଷ ଲକ୍ଷ ଟଙ୍କା ପ୍ୟାକେଜରେ ଭଲ ଚାକିରି କରୁଥିଲେ, ସେମାନେ ଏବେ କୃଷି କ୍ଷେତ୍ରକୁ ନିଜର କର୍ମଭୂମି ଭାବେ ବାଛି ନେଇଛନ୍ତି ।

ଏହାର ପ୍ରଭାବ ମଧ୍ୟ ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏଭଳି ଚାଷୀ ନା କେବଳ ଭଲ ଚାଷ କରୁଛନ୍ତି ବରଂ ଆଖପାଖ ଚାଷୀ ମାନଙ୍କୁ ମଧ୍ୟ ଚାଷର ଉନ୍ନତ ପ୍ରଣାଳୀ ଏବଂ ପ୍ରକ୍ରିୟା ବିଷୟରେ ବୁଝାଉଛନ୍ତି । ସେପରି ଜଣେ ଚାଷୀ ହେଉଛନ୍ତି ରବି ମଙ୍ଗଲେଶ୍ୱର ଯିଏ ଚାଷ କ୍ଷେତ୍ରରେ ଏବେ ସାରା ଦେଶରେ ଉଦାହରଣ ପାଲଟିଛନ୍ତି । ମସ୍କଟରେ ୧୦ ବର୍ଷ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ଚାକିରି କରିବା ପରେ ୨୦୦୧ ମସିହାରେ ପୁଣି ନିଜ ଗାଁକୁ ଫେରି ଆସିଥିଲେ । ଏବଂ ଗାଁକୁ ଫେରି ଚାଷ କରିବାକୁ ମନସ୍ଥ କଲେ । ଜଣେ ଇଞ୍ଜିନିୟର ଭାବେ ଚାଷ କ୍ଷେତ୍ରରେ କିଭଳି ଉନ୍ନତି ଅଣାଯାଇ ପାରିବ ସେ ବିଷୟରେ ଆରମ୍ଭ କଲେ ଗବେଷଣା । ଆଉ କୃଷି କ୍ଷେତ୍ରକୁ ନିଜ କର୍ମଭୂମି ଭାବେ ବାଛି ନେଲେ ।

ଆଉ ଏହାର ସଫଳତା ମଧ୍ୟ ପାଇଥିଲେ ରବି । ଗୋଟିଏ ଗଛରେ ୫୧ କିସମର ଆମ୍ବ ଉତ୍ପାଦନ କରି ପୂରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ମହାରାଷ୍ଟ୍ରର ବିଦର୍ଭ କ୍ଷେତ୍ରରେ ରହୁଥିବା ରବିଙ୍କ ଦ୍ୱାରା ଖୋଜା ହୋଇଥିବା ଏହି ନୂଆ ପ୍ରଣାଳୀ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରବି ନିଜ ରିସର୍ଚ୍ଚରେ ଏହା ସମ୍ଭବ କରି ଦେଖାଇଛନ୍ତି ଏବଂ ୨.୫ ଏକରରେ ୧,୦୦୦ ଆମ୍ବ ଗଛ ଲଗାଇଛନ୍ତି । କୃଷି କ୍ଷେତ୍ରରେ ପାଦ ଦେବା ସମୟରେ ହିଁ ସେ କିଛି ଅଲଗା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବଂ ୫ ଏକର ଜାଗାରେ ସେ ଚାଷ କାମ ଆରମ୍ଭ କରିଥିଲେ । ତେବେ ଚାଷ ବିଷୟରେ ଅଧିକ ଜ୍ଞାନ ପାଇଁ ସେ ୫୦୦ରୁ ଅଧିକ ଜାଗା ପରିଭ୍ରମଣ କରିଥିଲେ । ରବିଙ୍କ ବାପା ଚାଷ କରୁଥିଲେ ଏବଂ ସମାଜ ପାଇଁ ମଧ୍ୟ କାମ କରୁଥିଲେ । ତେଣୁ କରି ରବି ମଧ୍ୟ ଏହି କ୍ଷେତ୍ରରେ କାମ କରିବ ପାଇଁ ନିଜ ଗାଁକୁ ଫେରି ଆସିଥିଲେ ।