ଦାମ ବିଷ୍ଣୁ ମିଶିଗଲେ ! ବଦଳିଲା ଜଗତସିଂପୁର ବିଜେଡିରେ ସମୀକରଣ

39

କନକ ବ୍ୟୁରୋ : ଜଗତସିଂହପୁର ରାଜନୀତିରେ ରୋଚକ ମୋଡ । ସବୁ ବିବାଦକୁ ଭୁଲି ଏକାଠି ହୋଇଛନ୍ତି ଜିଲ୍ଲାର ଦୁଇ ତୁଙ୍ଗ ନେତା, ଦାମ ରାଉତ ଏବଂ ବିଷ୍ଣୁ ଦାସ । କୁଜଙ୍ଗରେ ଅନୁଷ୍ଠିତ ହୋଇଥିବା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏକାଠି ହୋଇ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ଅଂଟା ଭିଡିଛନ୍ତି । ଆଉ ଏହି ପୁରା କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ଡକ୍ଟର ଦାମ ରାଉତଙ୍କ ପୁଅ ସମ୍ବିତ ରାଉତ ।

ଗୋଟିଏ ମଂଚରେ ଜିଲ୍ଲାର ଦୁଇ ତୁଙ୍ଗ ନେତା, ବିଷ୍ଣୁ ଦାସ ଏବଂ ଡକ୍ଟର ଦାମୋଦର ରାଉତ ଏକାଠି ହୋଇ ଗୋଟିଏ ସ୍ୱରରେ ବିବାଦର କଥାକୁ ସଫାସଫା ମନା କରିଦେବା ସମସ୍ତଙ୍କୁ ଚକିତ କରିଛି । ଅନେକ ସମୟରେ ଏହି ଦୁଇ ନେତାଙ୍କ ମଧ୍ୟରେ ରାଜନୈତିକ ବିବାଦ ନେଇ ଚର୍ଚ୍ଚା ହୁଏ । ଏମିତିକି ଉଭୟେ ଉଭୟଙ୍କ ବିରୋଧରେ ଖୋଲାଖୋଲି ବୟାନବାଜୀ କରନ୍ତି । କିନ୍ତୁ ମନ୍ତ୍ରୀ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଅଂଟା ଭିଡିଛନ୍ତି-ଏହି ବିବାଦର ଅନ୍ତ ଘଟାଇ ବିଜେଡିକୁ ଜଗତସିଂହପୁରରେ ଆହୁରି ମଜବୁତ କରିବା ପାଇଁ ।

ମନାନ୍ତର ନୁହେଁ ମତାନ୍ତର ଥିବା କହୁଥିବା ମନ୍ତ୍ରୀ ଦାମ ରାଉତଙ୍କ ପୁଅ, ଏବେ ମୈଦାନକୁ ଓହ୍ଲାଇଛନ୍ତି । ବାପାଙ୍କ ଗଡ଼ରେ ରାଜନୈତିକ ଶତ୍ରୁ ଥିବା ବିଷ୍ଣୁ ଦାସଙ୍କ ସହ ଗୋଟିଏ ଗାଡ଼ିରେ ରାହାମାରୁ କୁଜଙ୍କ ପହଂଚିଥିଲେ ଏକ ବିଶାଳ ଶୋଭାଯାତ୍ରା ନେଇ । ଯାହା ସ୍ଥାନୀୟ ଲୋକଙ୍କୁ ବେଶ୍ ତାଜୁବ୍ କରିଥିଲା । ହେଲେ ସବୁ ବିବାଦ କେବଳ ମିଡ଼ିଆର ଟିଆରପି ପାଇଁ ବୋଲି କହିଛନ୍ତି ଦୁଇ ନେତା ।

ଅଚାନକ୍ ଏହି ଦୁଇ ହେଭିୱେଟ୍ ନେତାଙ୍କ ଏଭଳି ପରିବର୍ତନ ଅନେକ ପ୍ରଶ୍ନ ଛିଡ଼ା କରୁଛି

-ଆଇଓସିଏଲ୍ ପ୍ରତିଷ୍ଠା ପରେ ଜଗତସିଂହପୁରରେ ବିଜେପିର ପତିଆରା ବଢୁଛି କି ?

-ବିଜେପିକୁ କୌଣସି ସୁଯୋଗ ନଦେବା ପାଇଁ ଏହି ଦୁଇ ନେତାଙ୍କ ଏହି ପରିବର୍ତ୍ତନ କି ?

-ଦାମ ରାଉତ ନିଜ ପୁଅ ସମ୍ବିତ ରାଉତରାୟଙ୍କ ପାଇଁ ବାଟ ଖୋଲୁଛନ୍ତି କି ?