ଜମ୍ମୁ-କଶ୍ମୀର ପୁଲୱାମାରେ ଏନକାଉଁଟର : ସେନା ଗୁଳିରେ ୩ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ମୃତ,୫ ଯବାନ ଆହତ

30

କନକ ବ୍ୟୁରୋ : ଶ୍ରୀନଗରର ପୁଲୱାମା ଜିଲ୍ଲାରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଗୁଳି ବିନିମୟରେ ପ୍ରାଣ ହରାଇଛନ୍ତି । ଏଥିସହ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଏହି ଗୁଳି ବିନିମୟ ମଙ୍ଗଳବାର ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏଁ ଚାଲିଥିଲା । ପୋଲିସ ସୂଚନା ଅନୁସାରେ ଏହି ୩ ଜଣ ଆତଙ୍କବାଦୀ ତ୍ରାଲ ଅଂଚଳର ନାଜନିନପୋରା ଗାଁରେ ଲୁଚି ରହିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ଚାରିଆଡୁ ଘେରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନ ନାଗରିକ ହୋଇଥିବା ବେଳେ ଆଉ ଦୁଇଜଣ ସ୍ଥାନିୟ ବାସିନ୍ଦା ବୋଲି ଜଣାପଡିଛି । ଜାମ୍ମୁକାଶ୍ମୀରରେ ମେଂଟ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ଏହା ହେଉଛି ପ୍ରଥମ ଆଂଟି ଟେରରିଷ୍ଟ ଅପରେସନ ।

ସେପଟେ ଔରଙ୍ଗଜେବଙ୍କ ପରିବାରକୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ । ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ଓ ହତ୍ୟାର ଶିକାର ହୋଇଥିବା ସେନା ଯବାନ ଔରଙ୍ଗଜେବଙ୍କ ପରିବାର ସଦସ୍ୟଙ୍କୁ ଆଜି ସାକ୍ଷାତ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଜାମ୍ମୁକାଶ୍ମୀରରେ ପହଂଚି ଔରଙ୍ଗଜେବଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି ସୀତାରମଣ । ଅନେକ ସମୟ ଧରି ଔରଙ୍ଗଜେବଙ୍କ ବାପାଙ୍କ ସହ କଥାବାର୍ତା ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ।