ନୟାଗଡରେ ମୋଷ୍ଟ ୱାଂଟେଡ ଅପରାଧୀ କାବୁଲି ଖାନକୁ ଏନକାଣ୍ଟଟର ! ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି

36

କନକ ବ୍ୟୁରୋ : ପୁଣି ନୟାଗଡ ପୋଲିସର ଏନକାଣ୍ଟଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି କାବୁଲି ଖାନ୍ ଆହତ । କାବୁଲିର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । କାବୁଲି ନିକଟରୁ ଏକ ଦେଶୀ ବନ୍ଧୁକ, ୪ ଟି ଗୁଳି ସହ ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି । ବୋଲଗଡ ଥାନା ଅରଖପଲ୍ଲୀର କାବୁଲି ଖାନ୍ ଗତ କିଛି ଦିନ ଧରି ଗଣିଆ ଓ ନୟାଗଡ ପୋଲିସ ପାଇଁ ମୋଷ୍ଟ ୱାଂଟେଡ ଥିଲା ।

କାବୁଲି ସଂପର୍କରେ ସୂଚନା ପାଇ ଗତକାଲି ରାତିରେ ସୋଲପଟା-ଭୂଇଁଆଣି ରାସ୍ତାରେ ଟାଉନ ପୋଲିସ ସହାୟତାରେ ଚଢାଉ କରିଥିଲା ଗଣିଆ ପୋଲିସ । ତେବେ ଚଢାଉ ବେଳେ କାବୁଲି ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପରେ ପୋଲିସର ପାଲଟା ଗୁଳି କାବୁଲିର ଡାହାଣ ଆଣ୍ଠୁରେ ବାଜିଥିଲା । ଫେବୃଆରି ମାସରେ କଂଟିଲୋ ନିକଟରେ ଛେଳି ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍, ଗତ ମାସରେ ଗଣିଆରେ ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିବା ଓ ସୁନାଖଳା ଫାଣ୍ଡି ଅଂଚଳରେ ଲୁଟ ଘଟଣା ଇତ୍ୟାଦିରେ କାବୁଲିର ସଂପୃକ୍ତି ରହିଛି । ଏହା ସହ ବୋଲଗଡ ଓ ଖୋର୍ଦ୍ଧା ଅଂଚଳରେ ବନ୍ଧୁକ ମୁନରେ ଅନେକ ଲୁଟ୍ ଘଟଣାର ମୁଖ୍ୟ ଅପରାଧି ହେଉଛି କାବୁଲି ଖାନ । ଏହାକୁ ମିଶାଇ ଚଳିତ ବର୍ଷ ନୟାଗଡ ପୋଲିସ ୪ ଅପରାଧିଙ୍କୁ ଏନକାଉଂଟର କରିସାରିଲାଣି ।