ପୁଣି ଦୁଇ ଆତଙ୍କବାଦୀଙ୍କୁ ନିପାତ କଲା ଭାରତୀୟ ସେନା ! ଅମରନାଥ ଯାତ୍ରା ପୂର୍ବରୁ NSGର ‘ବ୍ଲାକ କ୍ୟାଟ କମାଣ୍ଡୋ’ ନିୟୋଜିତ

32

ଅପରେସନ ଅଲଆଉଟ-୨ ଆରମ୍ଭ ହେବା ପରେ ଆତଙ୍କବାଦୀଙ୍କ ଆଖିରୁ ନିଦ ହଜିଯାଇଛି । ଭାରତୀୟ ସେନା ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି । ଏଭଳି ସ୍ଥିତିରେ ଜମ୍ମୁ କଶ୍ମୀରର କୁଲଗାମରେ ରବିବାର ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୨ଜଣ ଲସ୍କର ଆତଙ୍କବାଦୀ ନିପାତ ହୋଇଛନ୍ତି। ଲୁଚି ରହିଥିବା ତୃତୀୟ ଆତଙ୍କବାଦୀ ସୁରକ୍ଷାବାହିନୀ ନିକଟରେ ଆତ୍ମସର୍ମପଣ କରିଛି । ସୁରକ୍ଷା ଦୃଷ୍ଟିରୁ କୁଲଗାମ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। । ଏନକାଉଣ୍ଟର ସମୟରେ ୧୦ ଜଣ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି ।

ଜମ୍ମୁ କଶ୍ମୀର ଡିଜିପି ଏସ୍.ପି. ବୈଦ୍ୟ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ୨ଜଣ ଆତଙ୍କବାଦୀକୁ ଏନକାଉଣ୍ଟରରେ ନିପାତ କରାଯାଇଛି। ସେ ସୁରକ୍ଷା ବାହିନୀଙ୍କୁ ମିଳିଥିବା ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।ଏହା ପୂର୍ବରୁ ଆତଙ୍କବାଦୀ ମାନେ ସୁରକ୍ଷାବଳଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ ।

୨ ଦିନ ତଳେ ନିପାତ ହୋଇଥିଲେ ୪ଜଣ ଆତଙ୍କବାଦୀ :
ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଶୁକ୍ରବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନମୟ ହୋଇଥିଲା। ବହୁ ସମୟ ଧରି ଗୁଳିବିନିମୟ ହେବା ପରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସମୟରେ ଜମ୍ମୁ କଶ୍ମୀର ପୁଲିସର ଯବାନ ଆଶିକ ହୁସେନ ମଧ୍ୟ ସହିଦ ହୋଇଥିଲେ। ଏହା ବ୍ୟତୀତ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ ସୁରକ୍ଷା ବାହିନୀଙ୍କୁ ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ଲୁଚି ରହିଥିବା ସଂପର୍କରେ ଜାଣିଥିଲେ। ଏହା ପରେ ଏନକାଉଣ୍ଟର ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।

ଏଠାରେ ସୁଚନାଯୋଗ୍ୟ ଯେ, ଆସନ୍ତା ୨୮ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେଉଛି । ତେଣୁ ପୂରା ଜମ୍ମୁ-କାଶ୍ମୀରରେ ସେନା ଆଲର୍ଟ ରହିଛନ୍ତି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଅମରନାଥ ଯାତ୍ରାରେ ବଡ଼ ଧରଣର ଆକ୍ରମଣ କରିପାରନ୍ତୁ ଆତଙ୍କବାଦୀ । ତେଣୁ ଏହାକୁ ଦୃଷ୍ଟିରେ ଶ୍ରୀନଗରରେ ଏନଏସଜିର ବ୍ଲାକ କ୍ୟାଟ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି । ଏହି କମାଣ୍ଡୋ ମାନେ ଯେ କୌଣସି ପରିସ୍ଥିତିରେ ଲଢ଼ିବାକୁ ସକ୍ଷମ । ଆତଙ୍କବାଦୀଙ୍କ ସହ ଲଢ଼ିବାକୁ ଏନଏସଜି କମାଣ୍ଡୋ ମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି । ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବା ପାଇଁ ଏହି କମାଣ୍ଡୋ ମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରସ୍ତୁତ ରହିଛନ୍ତି ।