କଟକରେ ଫୁଟିଲା ବୋମା, ଗର୍ଜିଲା ବନ୍ଧୁକ ! ପାର୍ବଣ ଋତୁ ପୂର୍ବରୁ ଦୁର୍ବୃତଙ୍କ ବୋମାମାଡରେ ଥରିଲା ସିଲଭର ସିଟି, ପୋଲିସ ଆରମ୍ଭ କଲା ଏନକାଉଣ୍ଟର

32

କନକ ବ୍ୟୁରୋ : କଟକରେ ପୁଣି ବୋମାମାଡ । ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ କଟକରେ ଫୁଟିଲା ବୋମା । ବାଦାମବାଡି ଅଂଚଳରେ ଥିବା ଏକ ସିନେମାହଲ ନିକଟରେ କେହି ଦୁର୍ବୃତ ବୋମାମାଡ କରି ଫେରାର ହୋଇଯାଇଛି । ଦଶହରା ପୂଜା ପ୍ରସ୍ତୁତି ପୂର୍ବରୁ ଏଭଳି ବୋମାମାଡ ସହରର ଏକପ୍ରକାର ଆତଙ୍କ ଖେଳାଇଦେଇଛି ।

ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । କାରଣ ଗତ ୧୫ ଦିନ ମଧ୍ୟରେ କଟକ ବାଦାମବାଡି ଅଂଚଳରେ ଏହା ହେଉଛି ତୃତୀୟ ବୋମାମାଡ ଘଟଣା । ଦୀପ ତଳ ଅନ୍ଧାର ଭଳି ପୋଲିସ ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ଘଟଣା ଘଟିଥିଲେ ମଧ୍ୟ ପୋଲିସ ହାତ ଏବେ ମଧ୍ୟ ଖାଲି । ତେବେ ଏହି ବୋମାମାଡ ଘଟଣା ପରେ ବାଦାମବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ପାର୍ବଣ ଋତୁରେ କଟକକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ଆରମ୍ଭ କରିଛି ଅଭିଯାନ । ଗତକାଲି କଟକରେ ପୁଣି ଏକ ଏନକାଉଂଟର କରିଛି ପୋଲିସ । ହାର୍ଡକୋର କ୍ରିମିନାଲ ସେଖ୍ ରାହୁଲଙ୍କୁ କଟକ କମିଶନରେଟ ପୋଲିସ କରିଛି ଏନାକାଉଂଟର । ଗତକାଲି ସଂଧ୍ୟାରେ କଟକ ବିଡାନାସୀ ସ୍ଥିତ ମଂଟେଶ୍ୱରୀ ହାଇସ୍କୁଲ ନିକଟରେ ପୁରୀଘାଟ ପୋଲିସ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡର ମିଳିତ ଉଦ୍ୟମରେ ଏନକାଉଂଟର ହୋଇଥିଲା ।

ଏନକାଉଂଟରରେ ରାହୁଲର ଡାହାଣ ଜଂଘରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ସେଖ୍ ରାହୁଲଙ୍କୁ କଟକ ଏସସିବି ମେଡିକାଲରେ ଭର୍ତି କରାଯାଇଛି । ତା ନିକଟରୁ ପୋଲିସ ଗୋଟିଏ ବନ୍ଧୁକ ସହ ଦୁଇଟି ଗୁଳି ଜବତ କରିଛି । ରାହୁଲ ନାଁରେ ସହରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିିଛି । ରାହୁଲ ଆଗରୁ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟାର ସକିଲର ଘନିଷ୍ଠ ସହଯୋଗୀ ବୋଲି ପୋଲିସ ସୂଚନା ଦେଇଛି ।