ରାଜଧାନୀରେ ଡକାୟତଙ୍କୁ ଗୋଡାଇ ଗୋଡାଇ ଗୁଳି ମାରିଲା ପୁଲିସ : ଗୁଳିମାଡରେ ମେଂଟାଲ ଗ୍ୟାଙ୍ଗର ହରି ମେଂଟାଲ ଓ ଲିପୁ ଆହତ

36

କନକ ବ୍ୟୁରୋ :  ରାଜଧାନୀରେ ଏନକାଉଁଟର ଘଟଣା । କୁଖ୍ୟାତ ଅପରାଧୀଙ୍କୁ ଗୋଡାଇ ଗୋଡାଇ ଗୁଳି କଲା ପୁଲିସ । ଆଗରେ ଆଗରେ ଦୌଡୁଥାନ୍ତି ଅପରାଧୀ ଆଉ ଠିକ ପଛେ ପଛେ ଥାଏ ପୁଲିସ । ବନ୍ଧୁକଧାରୀ ଅପରାଧୀ ବି ପୁଲିସ ଉପରକୁ ଗୁଳି କରୁଥାନ୍ତି । ଆଉ ତାର ଜବାବ ଦେଉଥାଏ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡର ଟିମ୍ । ଠିକ୍ ଏହିଭଳି ଭଇଁଚୁଆ ରାସ୍ତାରେ ଡକାୟତଙ୍କ ପିଛା କରୁଥାଏ ପୁଲିସ ଏବଂ ଶେଷରେ ମେଂଟାଲ ଗ୍ୟାଙ୍ଗର ଦୁଇ ସର୍ଦାର ହରି ମେଂଟାଲ ଓ ଲିପୁର ଗୋଡକୁ ଗୁଳି କରିଥିଲା ପୁଲିସ । ତେବେ ଆଉ ୪ ଅପରାଧୀ ଫେରାର ହୋଇଯାଇଥିବା ବେଳେ, ଗୋଟିଏ ବାଇକ୍, ୨ ଟି ବନ୍ଧୁକ ଓ ଗୁଳି ଜବତ କରି ଅନୁସନ୍ଧାନ ଚଳାଇଛି ପୁଲିସ ।

ପୁଲିସର ସୂଚନାନୁସାରେ ଏକ ବଡ ଡକାୟତି ପାଇଁ ଯୋଜନା କରୁଥିଲା ମେଂଟାଲ ଗ୍ୟାଙ୍ଗ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପଂହଚିବା ମାତ୍ରେ ଅପରାଧୀ ମାନେ ଆରମ୍ଭ କରିଦେଲେ ଅତର୍କିତ ଗୁଳି ଚାଳନା । ଆଉ ପାଲଟା ଗୁଳି ଚାଳନା କରି ପୁଲିସ କରିଥିଲା ଏନକାଉଁଟର ।

ପୁଲିସ ଗୁଳିରେ ଘାଇଲା ହୋଇଥିଲା ମେଂଟାଲ ଗ୍ୟାଙ୍ଗର ସର୍ଦାର କୁଖ୍ୟାତ ଅପରାଧୀ ହରି ମେଂଟାଲ ଓ ତାର ସହେଯାଗୀ ଲିପୁ । ହରି ମେଂଟାଲ ନାଁରେ ୧୦ରୁ ଅଧିକ ଡକାୟତି, ଘରେ ପଶି ଲୁଟପାଟ୍ ଭଳି ସଙ୍ଗୀନ ମାମଲା ରହିଛି । ଏମାନେ ପାଖାପାଖି ୩୦ରୁ ଅଧିକ ମାମଲାରେ ଜଡିତ ବୋଲି ପୁଲିସ କହିଛି । ପୁଲିସ ଗୁଳିରେ ଘାଇଲା ହରି ମେଂଟାଲ ଓ ଲିପୁକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।