ପୁଣି ଅଶାନ୍ତ ଜାମ୍ମୁକାଶ୍ମୀର ! ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ସେପଟେ ଅଫୁଟା ବୋମା ଗୋଟାଇବାକୁ ଯାଇ ୫ ସାଧାରଣ ଲୋକ ନିହତ ।

26

ପୁଣି ଅଶାନ୍ତ ହୋଇପଡିଛି ଜାମ୍ମୁକାଶ୍ମୀର । ଜାମ୍ମୁକାଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ଓ ୫ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି । ଏହି ଘଟଣାରେ ଦୁଇଜଣ ଯବାନ ଆହତ ହୋଇଥିବା ଖବର ମିଳିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ କୁଲଗାମ ଜିଲ୍ଲାର ଲାରୋ ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ଓ ରାଜ୍ୟ ପୁଲିସ ଏକ ମିଳିତ ଅପରେସନ ଆରମ୍ଭ କରିଥିଲେ । ଗୋଟିଏ ଘରେ ଆତଙ୍କବାଦୀମାନେ ଲୁଚିରହିଥିବା ଜଣାପଡିବା ପରେ ସୁରକ୍ଷାବାହିନୀ ଉକ୍ତ ଘରକୁ ଚାରିପଡୁ ଘେରିଯାଇଥିଲେ ଓ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ ।

ତେବେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇବାରୁ ସୁରକ୍ଷାବାହିନୀ ବାଧ୍ୟ ହୋଇ ତାହାର ଜବାବ ଦେଇଥିଲା । ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଅପରେସନ ଶେଷ ହେବା ପରେ କେତେକ ସାଧାରଣ ଲୋକ ଏନକାଉଣ୍ଟର ସ୍ଥଳକୁ ଯାଇଥିବା ବେଳେ ସେଠାରେ ପଡିଥିବା ଏକ ଅଫୁଟା ସେଲ ହଠାତ ବିସ୍ଫୋରଣ ହେବାରୁ ୫ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ସାଧାରଣ ଲୋକଙ୍କ ମୃତ୍ୟୁ ଖବରକୁ ନେଇ ଜାମ୍ମୁକାଶ୍ମୀର ରାଜ୍ୟପାଳଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ବିଜୟ କୁମାର ଦୁଃଖ ପ୍ରକାଶ କରିଛନ୍ତି ।