ବାଲେଶ୍ୱର ଜିଳ୍ଲାପାଳ ଅଫିସର କର୍ମଚାରୀଙ୍କୁ ଦରମା ଦେଉଛି ସମବାୟ ବ୍ୟାଙ୍କ : ଜିଳ୍ଲାପାଳ ଅଫିସରେ କର୍ମଚାରୀ ଅଭାବ ଯୋଗୁଁ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯାଇଛି ନିଯୁକ୍ତି

37

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ବଢି ଚାଲଥିବା ବେଳେ ଅନେକ ସରକାରୀ ପଦବୀ ମଧ୍ୟ ଖାଲିପଡିଛି । ଯାହାର ଏକ ଉଦାହରଣ ହେଉଛି ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ । ଯେଉଁଠି କର୍ମଚାରୀ ଅଭାବ ଯୋଗୁଁ ଅବସର ପ୍ରାପ୍ତ ୩ ଜଣ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଉ ସେମାନଙ୍କୁ ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କରୁ ଦରମା ଦିଆଯାଉଛି ।

ଜିଲ୍ଲାପାଳଙ୍କ ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଦରମା ଦେଉଛି ସମବାୟ ବ୍ୟାଙ୍କ । ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମାସିକ ୧୦ ହଜାର ଟଙ୍କା ଦରମା ଦେଉଛି ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କ । ପୂର୍ବରୁ ଜିଲ୍ଲାପାଳ ଏହି ସମବାୟ ବ୍ୟାଙ୍କର ସଭାପତି ରହୁଥିବା ବେଳେ ସେବେଠାରୁ ଏହି ନିୟମ ଚାଲି ଆସୁଥିବା ଜଣାପଡିଛି । ତେବେ ବୋର୍ଡ ପରିବର୍ତ୍ତନ ହେବା ସହ ଏହି ନିୟମ ରଦ୍ଦ ହେବା କଥା । କିନ୍ତୁ ଏବେ ବି ଏହା ଜାରି ରହିଥିବା ବେଳେ ଏନେଇ ସଂପୃକ୍ତ କର୍ମଚାରୀ ମୁହଁ ଖୋଲିବାକୁ ନାରାଜ ।

ସେପଟେ ଏ ବାବଦରେ ଜାଣି ନଥିବା କହିଛନ୍ତି ବର୍ତ୍ତମାନର ଜିଲ୍ଲାପାଳ । କର୍ମଚାରୀ ଅଭାବରୁ ହୁଏତ ଏମାନଙ୍କୁ ନିଯୁକ୍ତି ଦିଆଯାଇଥିବା ସେ ସ୍ୱୀକାର କରିଛନ୍ତି ।

ଦିନକୁ ଦିନ ବେକାରୀ ସମସ୍ୟା ବଢି ଚାଲିଥିବା ବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ସରକାରୀ ଚାକିରୀରୁ ଅବସର ନେଇଥିବା ବ୍ୟକ୍ତିଙ୍କୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି । ମାସକୁ ୩ହଜାର ୪୦୦ ଟଙ୍କା ଦରମା ଦିଆଯାଉଥିବା ବେଳେ ଜଣଙ୍କୁ କ୍ୱାଟର ମିଳିଛି ।