ଡବଲ ଇଂଜିନ ଥିଓରୀକୁ ନେଇ ରାଜନୀତି: ମୋଦୀଙ୍କୁ କାଉଂଟର କରି ନବୀନ କହିଲେ ମହିଳା ସଶକ୍ତିକରଣ ହିଁ ବିକାଶର ଡବଲ ଇଂଜନ;ଧର୍ମେନ୍ଦ୍ର କହିଲେ, ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର

115

କନକ ବ୍ୟୁରୋ: ଏବେ ଡବଲ ଇଂଜିନ ଥିଓରୀକୁ ନେଇ ସରଗରମ ରାଜନୀତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ସଶକ୍ତିକରଣ ହିଁ ବିକାଶର ଡବଲ ଇଂଜିନ କହିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ ନିଜ ବକ୍ତବ୍ୟରେ ବିଦେଶର ମହିଳାଙ୍କ କଥା କହୁଥିବା ବେଳେ ନିଜ ଦେଶର କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ଓ ସିତାରମନଙ୍କୁ ଭୁଲିଗଲେ ବୋଲି ସମାଲୋଚନା କରିଛନ୍ତି । ପୂର୍ବରୁ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଗଢିବାକୁ ଡବଲ ଇଂଜିନ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । କିନ୍ତୁ ନବୀନଙ୍କ ଏହି ବ୍ୟାଖ୍ୟା ପରେ ରୋଚକ ହୋଇଛି ରାଜନୀତିରେ ବୟାନବାଜି ।

ଓଡ଼ିଶାରେ ପ୍ରଚାର ବେଳେ ବାରମ୍ବାର ଏହି କଥାକୁ ଦୋହରାଉଛନ୍ତି ମୋଦୀ । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପି ନେତା ମଧ୍ୟ ଡବଲ ଇଂଜିନ୍ କଥା କହୁଛନ୍ତି । ତେବେ ବିଜେପିର ଏହି ଡବଲ ଇଂଜିନର ଅର୍ଥ ହେଉଛି ରାଜ୍ୟ ଓ ଦେଶରେ ଗୋଟିଏ ଦଳର ସରକାର । ଦୁଇଟି ଜାଗାରେ ଗୋଟିଏ ଦଳର ସରକାର ରହିଲେ ବିକାଶ ତ୍ୱରାନ୍ୱିତ ହେବ ବୋଲି ଦଳ ଯୁକ୍ତି ବାଢୁଛି । ଏହାକୁ ନେଇ ବିବାଦ ତେଜୁଥିବା ବେଳେ ସାମନାକୁ ଆସିଛି ନବୀନଙ୍କ ଡବଲ ଇଂଜିନ୍ ଥିଓରୀ ।

ଡବଲ ଇଂଜିନର ଭିନ୍ନ ବ୍ୟାଖ୍ୟା କରି ମୋଦୀଙ୍କୁ କାଉଂଟର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମହିଳା ସଶକ୍ତିକରଣ ହିଁ ପ୍ରକୃତ ଡବଲ ଇଂଜିନ୍ । ଅର୍ଥାତ ଅଧା ଜନସଂଖ୍ୟାର ସଶକ୍ତିକରଣ ହିଁ ଦେଶର ବିକାଶକୁ ଦୁଇ ଗୁଣା କରିବ ବୋଲି ଯୁକ୍ତି ବାଢ଼ିଛନ୍ତି ନବୀନ । ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପଠାଇବା ନିଷ୍ପତି ନେବାରେ ବିଜେଡି ପ୍ରଥମ ଓ ଏହା ସାରାଦେଶକୁ ପ୍ରଭାବିତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଓ ଜର୍ମାନୀ ଚ୍ୟାନସେଲରଙ୍କ ଉଦାହରଣ ଦେଇ ବିଶ୍ୱ ସ୍ତରରେ ମହିଳାଙ୍କ ପ୍ରଭାବୀ ନେତୃତ୍ୱକୁ ବୁଝାଇଛନ୍ତି ନବୀନ ।

ସେପଟେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଏଥର ଡବଲ ଇଂଜିନ ସରକାର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏକ ଭିଡିଓ ଜାରି କରି ଧର୍ମେନ୍ଦ୍ର କହିଛନ୍ତି, ‘ଓଡିଶା ଭୁଲିନି କୁନ୍ଦୁଲି ପୀଡିତା ଏବଂ ବେବିନାର ଦୁଃଖ କାହାଣୀ । ଦୁଷ୍କର୍ମ ହେଲା ଏବଂ ମୃତ୍ୟୁ ମଧ୍ୟ ହୋଇଗଲା । ଯେଉଁ ମାନେ ମୁଖ୍ୟ ଅଭିଯୁକ୍ତ ଏବଂ ମୁଖ୍ୟ ଅଭିଯୁକ୍ତ ମାନଙ୍କର ଯିଏ ମୁଖ୍ୟ ପୃଷ୍ଠପୋଷକ ଆଜି ତାଙ୍କୁ ପୁଣି ପିପିଲିରୁ ଟିକେଟ ଦିଆଗଲା । ଆପଣ ମହିଳା ସଶକ୍ତିକରଣ କଥା କହୁଛନ୍ତି । ଆପଣ ନିଶ୍ଚିତ ରୁହନ୍ତୁ, ଓଡିଶାବାସୀମାନେ ଏଥରକ ଡବଲ ଇଂଜନ ଲଗେଇବେ ହିଁ ଲଗେଇବେ । ଦିଲ୍ଲୀ ପାଇଁ ମୋଦି ସରକାର ବନିବ ଏବଂ ରାଜ୍ୟରେ ମଧ୍ୟ ମୋଦି ଅନୁଯାୟୀମାନଙ୍କର ସରକାର ବନିବ ।’

ମୋଦୀଙ୍କ ଡବଲ ଇଂଜିନ ଥିଓରୀ ବନାମ ନବୀନଙ୍କ ଡବଲ ଇଂଜିନ ଥିଓରୀ । ବିକାଶ ପାଇଁ ରାଜ୍ୟ ଓ ଦେଶରେ ଗୋଟିଏ ଦଳର ସରକାର ସପକ୍ଷରେ ମୋଦୀ ଯୁକ୍ତି ବାଢ଼ୁଥିବା ବେଳେ ପ୍ରକୃତ ବିକାଶ ପାଇଁ ମୋଟ ଜନସଂଖ୍ୟାର ଅଧା – ମହିଳାଙ୍କ ସଶକ୍ତିକରଣ ଉପରେ ଜୋର ଦେଇଛନ୍ତି ନବୀନ ।