ନିଯୁକ୍ତିକୁ ନେଇ ଉଠିଲା ପଡିଲା ବିଧାନସଭା ! ବିଜେଡି ମାଗିଲା ମୋଦିଙ୍କୁ ଜବାବ, ବିଜେପି ମାଗିଲା ନବୀନଙ୍କୁ ଜବାବ

80

କନକ ବ୍ୟୁରୋ : ନିଯୁକ୍ତିକୁ ନେଇ ବଡ ରାଜନୀତି । କେନ୍ଦ୍ର କେତେ ଦେଇଛି ଆଉ ରାଜ୍ୟ ଦେଇଛି କେତେ? ନିଯୁକ୍ତି ପ୍ରସଙ୍ଗରେ ଆଜି ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ବିଜେପି, ରାଜ୍ୟ ସରକାରଙ୍କୁ ୧୯ ବର୍ଷର ହିସାବ ମାଗିଥିବା ବେଳେ ବିଜେଡି, ମୋଦି ସରକାରଙ୍କୁ ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି । ସେପଟେ କଂଗ୍ରେସ, ଉଭୟ ବିଜେଡି ଓ ବିଜେପି ସରକାରଙ୍କୁ ଏଥିପାଇଁ ଦାୟୀ କରିଛି । ଏହାରି ଭିତରେ ଆଜି ଶୋଭାଯାତ୍ରାରେ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି ବିଜେଡି ବିଧାୟକ ।

ବିଜେଡି ବିଧାୟକଙ୍କ କେନ୍ଦ୍ର ବିରୋଧୀ ନାରା । ବିଧାନସଭାରୁ ରାଜଭବନ ଶୋଭାଯାତ୍ରା । ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଇଛି ବିଜେଡି । କେନ୍ଦ୍ର ସରକାରଙ୍କୁ ଦଳ ପ୍ରଶ୍ନ କରିଛି, କୁଆଡେ ଗଲା ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି । ମୋଦିଙ୍କ ପ୍ରତିଶ୍ରୁତି ମୁତାବକ ଓଡିଶାର ୩୬ ଲକ୍ଷ ଯୁବକ ଯୁବତୀ ଚାକିରି ପାଇବା କଥା । ହେଲେ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି ମୋଦି ସରକାର । ନିଯୁକ୍ତି ପ୍ରସଙ୍ଗରେ ଗୃହରେ ବି ହୋହାଲ୍ଲା କରିଛନ୍ତି ଶାସକ ଦଳ ସଦସ୍ୟ ।

ଏପଟେ ଗୃହକାର୍ଯ୍ୟ ଆରମ୍ଭରୁ ନିଯୁକ୍ତି ଓ ଚାଷୀ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନିଯୁକ୍ତି, ମଦ, ଆଦିବାସୀ ସ୍କୁଲରେ ଛାତ୍ରୀ ଗର୍ଭବତୀ ଏବଂ ଚାଷୀ ପ୍ରସଙ୍ଗ ଆଦି ଉଠାଇଥିଲେ ବିଜେପି ବିଧାୟକ । କଂଗ୍ରେସ ବି ସମାନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲା । ଫଳରେ ବାରମ୍ବାର ମୁଲତବୀ ହୋଇଥିଲା ଗୃହ । ଗୃହ ବାରମ୍ବାର ମୁଲତବୀ ହେବା ପରେ ବସିଥିଲା ସର୍ବଦଳୀୟ ବୈଠକ । ଏହାପରେ ସ୍ୱାଭାବିକ ହୋଇଥିଲା ଗୃହ କାର୍ଯ୍ୟ ।