କରୋନା କ୍ଷତରେ ଅର୍ଥନୀତିର ମଲମ । ଆଉ ୩ ମାସ ଇପିଏଫ ଭରିବେ ସରକାର । ଅଗଷ୍ଟ ମାସ ଯାଏଁ ଇପିଏଫ ଜମା କରିବେ କେନ୍ଦ୍ର ସରକାର । ନଭେମ୍ବର ୩୦କୁ ଘୁଞ୍ଚିଲା ଆୟକର ରିଟର୍ଣ୍ଣ ତାରିଖ

1,825

କନକ ବ୍ୟୁରୋ: ଇପିଏଫ ଭରିବେ ସରକାର । ଆଗାମୀ ୩ ମାସର ଇପିଏଫ ଦେବେ ସରକାର । ଆଉ ତିନି ମାସ ଇପିଏଫ ଭରଣା କରିବେ କେନ୍ଦ୍ର ସରକାର । ଜୁନ, ଜୁଲାଇ, ଅଗଷ୍ଟ ମାସର ଇପିଏଫ ସରକାର ବହନ କରିବେ ବୋଲି ଆଜି ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ୧୫ ହଜାରରୁ କମ ବେତନ ପାଉଥିବା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ । କର୍ମଚାରୀଙ୍କ ୧୨% ଏବଂ ନିଯୁକ୍ତି ଦାତାଙ୍କ ୧୨% କେନ୍ଦ୍ର ସରକାର ଭରିବେ । ମୋଟ ୭୨ ଲକ୍ଷ ୨୨ ହଜାର କର୍ମଚାରୀଙ୍କୁ ଏହି ଲାଭ ମିଳିବ ।

ତେବେ ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ ମାସର ଇପିଏଫ ଭରିବାକୁ ଘୋଷଣା କରିଥିଲେ ସରକାର ଆଉ ଏବେ ୩ ମାସ ଅଧିକ ଅର୍ଥାତ ଜୁନ, ଜୁଲାଇ, ଅଗଷ୍ଟ ଯାଏଁ ସରକାର ଦେବେ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।


କରୋନା ଯୋଗୁଁ ଦେଶର ଅର୍ଥନୀତିରେ ସୃଷ୍ଟି ହୋଇଥିବା କ୍ଷତ ଉପରେ ମଲମ ଲଗାଇଛନ୍ତି କେନ୍ଦ୍ର ସରକାର । ଏମଏସଏମଇ ପାଇଁ ବନ୍ଧକ ମୁକ୍ତ ଋଣ ଘୋଷଣା କରାଯାଇଛି । ସେପଟେ ଆୟକର ରିଟର୍ଣ୍ଣ ତାରିଖକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ବିଶେଷ କରି କିପରି ଶିଥିଳ ହୋଇ ପଡିଥିବା ଅର୍ଥନୀତି ଆଗକୁ ଯିବ ଏବଂ ଲୋକଙ୍କ ପାଖରେ ଖର୍ଚ୍ଚ କରିବାକୁ ଅଧିକ ଟଙ୍କା ରହିବ, ଏହା ଉପରେ ଗୁରୁତ୍ୱ ଦିଆଯାଇଛି ।

ଚଳିତ ଆର୍ଥିକ ବର୍ଷ ପାଇଁ ଟିଡିଏସରେ ୨୫ ପ୍ରତିଶତ ରିହାତି ଦିଆଯିବ । ରିୟଲ ଇଷ୍ଟେଟ୍, ରେଳବାଇ, ହାଇୱେ ଓ ସଡ଼କ ନିର୍ମାଣ କରୁଥିବା ଠିକାଦାରଙ୍କୁ କାମ ସାରିବାକୁ ଅଧିକ ୬ ମାସ ସମୟ ଦେଇଛନ୍ତି ସରକାର । ତେବେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଗୁଡିକ କିପରି ପୁଣି ଥରେ କ୍ରିୟାଶୀଳ ହେବେ, ଏହାକୁ ଗୁରୁତ୍ୱ ଦେଇ ବିନା ଗ୍ୟାରେଂଟିରେ ୩ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାଦ୍ୱାରା ୪୫ ଲକ୍ଷ ୟୁନିଟ ଲାଭବାନ ହେବେ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ସେହିପରି ଅଣବ୍ୟାଙ୍କିଙ୍ଗ୍ ସଂସ୍ଥା ଓ ଗୃହ ଋଣ ଦେଉଥିବା ସଂସ୍ଥାକୁ ୩୦ ହଜାର ଟଙ୍କା ପାଣ୍ଠି ଯୋଗାଇ ଦିଆଯିବ । ବିଦ୍ୟୁତ ବିତରଣ କଂପାନୀ ପାଇଁ ୯୦ ହଜାର କୋଟିର ସହାୟତା ମିଳିବ । ଗତକାଲି ଅତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଏହି କ୍ରମରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛି ପ୍ୟାକେଜ୍ ଘୋଷଣା କରିଛନ୍ତି ।