ନୀରବି ଗଲେ ଓଲିଉଡର ମାଆ ଅନିତା ଦାସ । ପରଦାରେ ଅଭିନୟ ଥିଲା, ହେଲେ ମିଛ ନଥିଲା ମାଆର ମମତା

157

କନକ ବ୍ୟୁରୋ: ଆରପାରିରେ ଅନୀତା ଦାସ । ଓଲିଉଡର ବିଶିଷ୍ଟ ଅଭିନେତ୍ରୀ ତଥା ଓଡିଆ ଚଳଚ୍ଚିତ୍ର ଜଗତର ମାଆ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅନୀତା ଦାସଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ଶହେରୁ ଅଧିକ ଫିଲ୍ମ, ଭଜନ ଓ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ଆଦର ପାଇଛନ୍ତି ସେ । ଶିଶୁ କଳାକାର ଓ ଲିଡ୍ ଅଭିନେତ୍ରୀ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି ତାଙ୍କୁ । ହେଲେ ପରଦାରେ ମାଆର ନିଖୁଣ ଅଭିନୟ ତାଙ୍କୁ ସର୍ବଦା ଜୀବନ୍ତ କରିଛି ।

ଅନୀତା ଦାସଙ୍କ ଅଭିନୟର ତାଲିକା

୧. ଯାଯାବର, ଭକ୍ତ ସାଲବେଗ, ତପସ୍ୟା, ଗଢ଼ି ଜାଣିଲେ ଘର ସୁନ୍ଦର, ଅଗ୍ନିପରୀକ୍ଷା, କୃଷ୍ଣସୁଦାମା, ଲକ୍ଷ୍ମୀପ୍ରତିମା, ସ୍ୱପ୍ନସାଗର, ରାମବଳରାମ, ଆରତୀ, ଓମ ନମଃ ଶିବାୟ, ଡନ୍, ସ୍ୱୟଂସିଦ୍ଧା, ଆମ ଭିତରେ କିଛି ଅଛି ଓ ବାହୁଡ଼ିବେ ମୋ ଜଗାବଳିଆ ପରି ଅନେକ ସଫଳ ଫିଲ୍ମରେ ସେ ଅଭିନୟ କରିଥିଲେ ।

୨. ଅନ୍ୟ ଆଂଚଳିକ ଭାଷାରେ ମଧ୍ୟ ଅନୀତା ଦାସଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଛି ।

୩. ରାଜ୍ୟ ସରକାରଙ୍କ ତରଫରୁ ସେ ତିନିଥର ପୁରସ୍କୃତ ହୋଇଥିବା ବେଳେ ଅନେକ ବେସରକାରୀ ସଙ୍ଗଠନ ତାଙ୍କୁ ପୁରସ୍କୃତ କରିଛି ।

ଶହେରୁ ଅଧିକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅନୀତା ଦାସ ଛୋଟ ପରଦା ଓ ଭଜନ ଆଲବମରେ ମଧ୍ୟ ନିଜ ଅଭିନୟର ଯାଦୁଗରୀ ଦେଖାଇଛନ୍ତି । ଯାଯାବର, ଭକ୍ତ ସାଲବେଗ, ତପସ୍ୟା, ଗଢ଼ି ଜାଣିଲେ ଘର ସୁନ୍ଦର, ଅଗ୍ନିପରୀକ୍ଷା, କୃଷ୍ଣସୁଦାମା, ଲକ୍ଷ୍ମୀପ୍ରତିମା, ସ୍ୱପ୍ନସାଗର, ରାମବଳରାମ, ଆରତୀ, ଓମ ନମଃ ଶିବାୟ, ଡନ୍, ସ୍ୱୟଂସିଦ୍ଧା, ଆମ ଭିତରେ କିଛି ଅଛି ଓ ବାହୁଡ଼ିବେ ମୋ ଜଗାବଳିଆ ପରି ଅନେକ ସଫଳ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ ।

ଶିଶୁ କଳାକାରରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ । ପରେ ବିଭିନ୍ନ ଚିତ୍ର ଓ ଚରିତ୍ରରେ ନଜର ଆସନ୍ତି ଓଲିଉଡର ଏହି ପରିଚିତ କଳାକାର । ସମୟ କ୍ରମେ ଚରିତ୍ର ଅଭିନୟକୁ ଆପଣାଇଥିବା ଅନୀତାଙ୍କୁ ଦର୍ଶକ ମା’ ଭୂମିକାରେ ସବୁଠୁ ଅଧିକ ଗ୍ରହଣ କରନ୍ତି । କ୍ରମେ ଭଜନ ଆଲବମ୍ ଓ ଛୋଟ ପରଦାରେ ତାଙ୍କୁ ଦେଖିବାକୁ ମିଳେ । ଆଜି ପରପାରିରେ ଓଲିଉଡର ଏହି ପ୍ରିୟ କଳାକାର ତଥାପି ସେ ଅମର ତାଙ୍କ ଅଭିନୟର ଯାଦୁଗରିରେ ।