ସାମ୍ନାକୁ ଆସିଲା ଏମାର ମଠ ରୂପା ଇଟାର ରହସ୍ୟ ! ନଅଙ୍କ ଦୁର୍ଭିକ୍ଷ ସମୟରେ ମଠକୁ ରୂପା ଇଟା ଦେଇ ଚାଉଳ କିଣିଥିଲେ ଇଂରେଜ ।

251

କନକ ବ୍ୟୁରୋ : ଏମାର ମଠ ରୂପା ଇଟାର ଖୋଲିଲା ରହସ୍ୟ । ରୁପା ଇଟାର ସମ୍ପର୍କ ରହିଛି ୧୮୬୬ ନଅଙ୍କ ଦୁର୍ଭିକ୍ଷ ସହ । ନଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କୁ ରିଲିଫ୍ ବାଂଟିବାକୁ ବ୍ରିଟିସ ସରକାର ଏମାର ମଠରୁ ଚାଉଳ ଆଣିଥିଲେ । ବଦଳରେ ମଠକୁ ଦେଇଥିଲେ ଏସବୁ ରୁପା ଇଟା । ଗବେଷକ ଅନୀଲ ଧୀର ତାଙ୍କ ପୁସ୍ତକରେ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି ।

TH26_SILVER_PTI2_26_2011_000164Bରୁପା ଇଟା ଉପରୁ ଉଠିଲା ରହସ୍ୟ ! ବର୍ଷ ବର୍ଷ ଧରି ରହସ୍ୟରେ ଥିବା ଏମାର ମଠ ରୁପା ଇଟା ଉପରୁ ଉଠିଛି ପରଦା । ଗବେଷଣାରୁ ଜଣାପଡିଛି, ଏମାର ମଠରୁ ମିଳିଥିବା ରୁପା ଇଟା ସହ ରହିଛି ୧୮୬୬ ନଅଙ୍କ ଦୁର୍ଭିକ୍ଷର ସମ୍ପର୍କ । ଗବେଷକ ଅନୀଲ ଧୀରଙ୍କ ପୁସ୍ତକ- ଗ୍ରେଟ୍ ଓଡିଶା ଫେମିନ୍ ଅଫ୍ ୧୮୬୬- ନଅଙ୍କ ଦୁର୍ଭିକ୍ଷରେ ଏନେଇ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ସେ ଲେଖିଛନ୍ତି, ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ପ୍ରଶାସନ ଦୁର୍ଭିକ୍ଷ ଅଂଚଳରେ ରିଲିଫ ବାଂଟିବା ପାଇଁ ଏମାର ମଠରୁ ରୁପା ଇଟା ଦେଇ ବଦଳରେ ଶହ ଶହ ଟନ୍ ଚାଉଳ ନେଇଥିଲେ ।

ଗବେଷଣାରୁ ଜଣାପଡିଛି, ୧୮୬୬ ସମୟରେ ରାଜ୍ୟର ସବୁଠୁ ଧନଶାଳୀ ମଠ ଥିଲା ଏମାର ମଠ । ମଠର ବଡ ବଡ କୋଠରୀରେ ଧାନ ରଖିବାକୁ ଶଗଡ ଶଗଡ ଧାନ ଆସି ସିଂହଦ୍ୱାରରୁ ଅଠରନଳା ଯାଏଁ ଲମ୍ବି ରହୁଥିଲା । ନଅଙ୍କ ଦୁର୍ଭିକ୍ଷ ସମୟରେ ଚାଉଳ ଯୋଗାଇବାକୁ ମଠ ମହନ୍ତଙ୍କୁ ରୁପା ଟଙ୍କା ଯାଚିଥିଲେ ବ୍ରିଟିସ ସରକାର । ତେବେ ରୁପା ଧାତବ ଖଣ୍ଡ ମାଗିଥିଲେ ମହନ୍ତ । ଏମାର ମଠରୁ ଜବତ ରୁପା ଇଟାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଲେଖା ଥିବା ଗବେଷକ କହିଛନ୍ତି ।

ପୁରୀ ଏମାର ମଠର ନିବୁଜ କୋଠରୀରୁ ୧୯ ଟନ୍ ଓଜନର ୫୨୨ଟି ରୁପା ଇଟା ମିଳିଥିଲା । ଯାହା ବର୍ତମାନ କୋର୍ଟରେ ହେପାଜତରେ ରଖାଯାଇଛି । ଇଟାଗୁଡିକ କେଉଁ ବର୍ଷର ଏବଂ କେଉଁ ସ୍ଥାନର ସେନେଇ ପରୀକ୍ଷା କରିବାକୁ ଗବେଷକ ଦାବି କରିଛନ୍ତି ।