ଏମାର ମଠରେ ଚାଲିଲା ସରକାରୀ ବୁଲଡୋଜର । ହେଲେ ଭିତରେ ଧ୍ୟାନରେ ବସିଲେ ମହନ୍ତ, ବନ୍ଦ କୋଠରୀରେ ଅଖଣ୍ଡ ଦୀପ ଜାଳି କଲେ ମୌନ ବ୍ରତ ।

713

କନକ ବ୍ୟୁରୋ : ଏମାର ମଠର ଉଚ୍ଛେଦ ଆଉ ମଠ ଭିତର ଗୁପ୍ତ କୋଠରୀର ଖବର ଭିତରେ ଆଉ ଏକ ଖବର ସମସ୍ତଙ୍କୁ ଚକିତ କରିଛି । ପ୍ରଶାସନର ବୁଝାସୁଝା ପରେ ବି ମହନ୍ତ ଗୋପାଳ ରାମାନୁଜ ଦାସ ବର୍ତମାନ ସୁଦ୍ଧା ମଠ ଛାଡି ନାହାନ୍ତି । ଏକ ବନ୍ଦ କୋଠରି ଭିତରେ ଧ୍ୟାନ ମୁଦ୍ରାରେ ଅଛନ୍ତି ମଠର ମହନ୍ତ । ଯାହା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

ବାହାରେ ବୁଲଡୋଜର, ଭିତରେ ମହନ୍ତ । ମଠ ମହନ୍ତଙ୍କ ମଉନ ବ୍ରତ ସହ ଗୁପ୍ତ ପୂଜା । ଅନ୍ଧାରୁଆ ଘର, ଘର ଭିତରେ ମଠର ମହନ୍ତ । ଦୀପଟିଏ ଜାଳି ଧ୍ୟାନ ମୁଦ୍ରାରେ ବସିଛନ୍ତି ମଠର ମହନ୍ତ, ଗୋପାଳ ରାମାନୁଜ ଦାସ । ଯେଉଁ ତଥ୍ୟ ଏହି ଏମାର ମଠରୁ ଆସିଛି, ତାରି ଆଧାରରେ ଏହି ସାଂକେତିକ ଚିତ୍ର ।

ବନ୍ଦ କୋଠରୀର କାନ୍ଥରେ ଲାଗିଛି ସିସିଟିଭି ଡିସପ୍ଲେ । ଆଉ ସମଗ୍ର ଏମାର ମଠ ଅନୁଧ୍ୟାନ କରନ୍ତି ମଠ ମହନ୍ତ । ବାହାରେ ପ୍ରଶାସନ ବୁଲଡୋଜର ଲଗାଇ ଖସାଇ ଚାଲିଛି ମଠର ଗୋଟିଏ ପରେ ଗୋଟିଏ କାନ୍ଥ । ଭୁଷୁଡି ପଡ଼ିଛି ପ୍ରାୟ ୯ଶହ ବର୍ଷର ଐତିହାସିକ ମଠ । ହେଲେ ଏସବୁକୁ ଖାତିର ନକରି ଧ୍ୟାନ ମୁଦ୍ରାରେ ଅଛନ୍ତି ଏମାର ମଠର ମହନ୍ତ ।

ଠିକ୍ ରଘୁନାଥ ଲାଇବ୍ରେରୀର ପଛକୁ ରହିଛି ମହନ୍ତଙ୍କ ଏହି କୋଠରୀ । ଯେଉଁଠି ମହନ୍ତ ପୂଜାପାଠ କରନ୍ତି । ଆଉ ଆଜି ଯେତେବେଳେ ଏମାର ମଠ ଉଚ୍ଛେଦ ଚାଲିଛି, ମଠ ଛାଡୁ ନାହାଁନ୍ତି ମହନ୍ତ । ବନ୍ଦ କୋଠରୀ ଭିତରେ ଅଖଣ୍ଡ ଦୀପ ଜାଳି ମଉନ ମୁଦ୍ରାରେ ଅଟଳ ଅଛନ୍ତି ।

ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ଯେଉଁ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି, ଏହା ପୂର୍ବରୁ ଏମାର ମଠ ମହନ୍ତଙ୍କୁ ବୁଝାସୁଝା କରିଥିଲେ । ହେଲେ ମହନ୍ତଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନି । ଏମିତି କି ପ୍ରଶାସନ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଗତକାଲି ମଠରେ ଲଟକା ବି ଝୁଲାଇଥିଲା ।

ଦ୍ୱାଦଶ ଶତାବ୍ଦୀରେ ଏହି ମଠକୁ ନିର୍ମାଣ କରିଥିଲେ ରାମାନୁଜ ଆଚାର୍ଯ୍ୟ । ରାମାନୁଜ ସଂପଦ୍ରାୟ ତରଫରୁ ଏହାର ରକ୍ଷଣାବେକ୍ଷଣା କରାଯାଉଥିଲା । ସବୁଠୁ ଅଧିକ ଭୂସଂପତି, ଧନ, ରତ୍ନର ଅଧିକାରୀ ଥିଲା ଏମାର ମଠ । କିଛି ବର୍ଷ ତଳେ ୯୦ କୋଟି ଟଙ୍କାର ରୂପା ଇଟା ଓ ଅନ୍ୟାନ୍ୟ ବହୁ ମୂଲ୍ୟ ସଂପତି ଠାବ ହୋଇଥିଲା । ହେଲେ କାଳ କ୍ରମେ ଅତୀତର ଗୌରବକୁ ହରାଇଛି ଏମାର ମଠ ।

ଶ୍ରୀମନ୍ଦିର ଚତୁପାଶ୍ୱର୍ର ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କରିବାକୁ ପ୍ରଶାସନ ଯେଉଁ ଅଂଟା ଭିଡିଛି, ତାରି ଭିତରେ ଆଜି ମାଟିରେ ମିଶି ଯାଇଛି ରାଜ୍ୟର ସବୁଠୁ ବିଭବଶାଳୀ ଏମାର ମଠ । ଆଉ ଏପଟେ ମଠ ନଛାଡି ବନ୍ଦ କୋଠରୀ ଭିତରେ ବସି ରହିଛନ୍ତି ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସ ।