ଆମେରିକାରେ ଚାଲିଲା ମୋଦିଙ୍କ ଟ୍ରମ୍ପ କାର୍ଡ ! ଭାରତକୁ ଆମେରିକାର ସଚ୍ଚା ବନ୍ଧୁ କହିଲେ ଡୋନାଲ୍ଡ ଟ୍ରମ୍ପ, ଆତଙ୍କବାଦ ପ୍ରସଙ୍ଗରେ ଏକାଠି ଲଢିବାକୁ ସହମତି

53

କନକ ବ୍ୟୁରୋ : ଆମେରିକାରେ ଚାଲିଲା ମୋଦିଙ୍କ ଟ୍ରମ୍ପ କାର୍ଡ । ଭାରତକୁ ଅତୁଳନୀୟ ଦେଶ କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଦି ଓ ଟ୍ରମ୍ପଙ୍କ ମିଳିତ ବିବୃତି ବେଳେ ଭାରତ ଆମେରିକାର ସଚ୍ଚା ବନ୍ଧୁ ବୋଲି ଟ୍ରମ୍ପ କହିଛନ୍ତି । ସୋସିଆଲ ମିଡିଆରେ ସେ ଓ ମୋଦି ବିଶ୍ୱ ନେତା ଭାବେ ପରିଚିତ ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ । ଭାରତର ଅର୍ଥନୀତି ସବୁଠୁ ଦ୍ରୁତ ଗତିରେ ଆଗକୁ ବଢୁଛି ।

ମୋଦି ଦୁର୍ନୀତି ବିରୋଧରେ ଲଢେଇ କରିବା ସହ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଦୁଇ ଦେଶ ଆତଙ୍କବାଦ ବିରୋଧରେ ଲଢେଇ କରୁଛନ୍ତି । ଇସଲାମିକ୍ ଆତଙ୍କବାଦ ଶେଷ କରିବାକୁ ବଦ୍ଧ ପରିକର ବୋଲି ଟ୍ରମ୍ପ କହିଛନ୍ତି । ଏହା ସହ ଆଫଗାନିସ୍ତାନରେ ଭାରତର ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି ଟ୍ରମ୍ପ ।

ମିଳିତ ବିବୃତି ଅବସରରେ ଟ୍ରମ୍ପଙ୍କ ବନ୍ଧୁତ୍ୱପୂର୍ଣ ସ୍ୱାଗତ ପାଇଁ କୃତଜ୍ଞତା ଜଣାଇଛନ୍ତି ମୋଦି । ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସହଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଉଭୟ ଦେଶ ଗ୍ଲୋବାଲ୍ ଇଂଜିନ୍ ଅଫ୍ ଗ୍ରୋଥ୍ ବୋଲି କହିଛନ୍ତି ମୋଦି । ତେବେ ଆତଙ୍କବାଦ ସବୁଠାରୁ ବଡ ଚ୍ୟାଲେଞ୍ଜ ଓ ଉଭୟ ଦେଶ ଏହା ବିରୋଧରେ ଏକାଠି ଲଢିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଅବସରରେ ମୋଦି କହିଛନ୍ତି ଯେ ‘ନ୍ୟୁ ଇଣ୍ଡିଆ’‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ଏକା ପରି । ଉଭୟ ଦେଶ ମଧ୍ୟରେ ସୂଚନା ଆଦାନ ପ୍ରଦାନ ବୃଦ୍ଧି ହେବା ସହ ଆଫଗାନିସ୍ତାନରେ ଅସ୍ଥିରତା ପ୍ରସଙ୍ଗରେ ଆମେରିକା ସହ ଭାରତ ସଂପର୍କରେ ରହିବ ବୋଲି ମୋଦି କହିଛନ୍ତି । ତେବେ ଏହା ପୂର୍ବରୁ ଉଭୟ ଦେଶ ମଧ୍ୟରେ ହୋଇଥିଲା ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ।

ଭାରତ ଓ ଆମେରିକା ଏକାଠି ହେଲେ ବିଶ୍ୱ ସମୁଦାୟ ପାଇଁ ବହୁତ କିଛି କରିପାରିବେ ବୋଲି ଏହି ଅବସରରେ ମୋଦି କହିଥିଲେ । ମୋଦି କହିଥିଲେ ଯେ ଭାରତ ଦୁନିଆର ସବୁଠୁ ବଡ ଲୋକତନ୍ତ୍ର ହୋଇଥିବା ବେଳେ ଆମେରିକା ସବୁଠାରୁ ପୂରାତନ ଲୋକତନ୍ତ୍ର । ଏହି ଅବସରରେ ସାମରିକ ସହଯୋଗ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା ।

ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ବେଳେ ଆମେରିକାଠାରୁ ସେନା ସରଞ୍ଜାମ କିଣିଥିବାରୁ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଟ୍ରମ୍ପ । ଆମେରିକା ଭଳି ସେନା ସାମଗ୍ରୀ ଅନ୍ୟ କେହି ତିଆରି କରିପାରିବେନି ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି । ମୋଦିଙ୍କୁ ମହାନ୍ ପ୍ରଧାନମନ୍ତ୍ରୀ କହିବା ସହ ଆର୍ଥିକ କ୍ଷେତ୍ରରେ ପ୍ରଶଂସନୀୟ କାମ ପାଇଁ ମୋଦିଙ୍କୁ ଅଭିନନ୍ଦନ ଜଣାଇ ଥିଲେ ଟ୍ରମ୍ପ । ମୋଦିଙ୍କ ଭଳି ମହାନ୍ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ସମ୍ମାନର କଥା ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ।