ସାତକୋଶିଆ ବାଘୁଣୀକୁ ଧରିବ ଚନ୍ଦକାର କୁମକି ହାତୀ ! ଯଶୋଦା ସହାୟତାରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବେ ବାନ୍ଧବଗଡରୁ ଆସିଥିବା ସ୍ୱତନ୍ତ୍ର ଟିମ୍

ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବ କୁମକି ହାତୀ ଯଶୋଦା

101

କନକ ବ୍ୟୁରୋ: ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବ କୁମକି ହାତୀ ଯଶୋଦା । ସୁନ୍ଦରୀକୁ ଧରିବାକୁ ବନବିଭାଗ ନୟାନ୍ତ ହେବା ପରେ ଯଶୋଦାର ସହାୟତା ନେଇଛିି ବନବିଭାଗ । ସୁୁନ୍ଦରୀ ଅପରେସନ ପାଇଁ ଆଜି ସାତକୋଶିଆରେ ପହଂଚିଛି କୁମକି ହାତୀ । ଏହାସହ ୧୨ ଜଣିଆ ଟିମ୍ ମଧ୍ୟ ପହଂଚିଛନ୍ତି । ଏହି ଟିମ୍ ହାତୀର ମାନସିକ ସ୍ଥିତି ଅନୁଧ୍ୟାନ କରିବା ପରେ ଭୋଗଳିକ ସ୍ଥିତି ପରିକ୍ଷଣ କରାଯିବ । ଏହାପରେ ଆସନ୍ତାକାଲି ଟ୍ରାଙ୍କୁଲାଇଜ ପାଇଁ ପ୍ରକ୍ରୀୟା ଆରମ୍ଭ ହେବ ।ଏଥିପାଇଁ ମଇଁଷି, ସ୍ୱୟଂ ଚାଳିତ ଯନ୍ତା ଓ ଷ୍ଟ୍ରେଚର ସାତକୋଶିଆରେ ରଖାଯାଇଛି ।

ସୁନ୍ଦରୀକୁ ଧରିବା ପାଇଁ ୧୦ଦିନ ଧରି ଝାଳନାଳ ବୁହାଇବା ପରେ ଶେଷରେ କୁମକି ହାତୀର ସହାୟତା ନେଇଛି ବନବିଭାଗ । ପ୍ରଥମରୁ ଖାଲି ହାତରେ ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ କରିଥିଲେ ଟ୍ରାଙ୍କୁଲାଇଜ୍ ଟିମ୍ । ହେଲେ ଏଥିରେ ବାରମ୍ବାର ଫେଲ ମାରିବା ପରେ ବିଭାଗ ପକ୍ଷରୁ ଶିମିଳିପାଳରୁ କୁମକି ହାତୀ ରାଜକୁମାରୀକୁ ଆଣିବାକୁ ଯୋଜନା କରାଯାଇଥିଲା । ହେଲେ ସେଥିରେ ବିଫଳ ହେବାରୁ ଶେଷରେ ଚନ୍ଦକା ଅଭୟାରଣ୍ୟରେ ଥିବା ତାଲିମପ୍ରାପ୍ତ ହାତୀ ଯଶୋଦାକୁ ସାତକୋଶିଆକୁ ନିଆଯାଇଛି । ସ୍ୱତନ୍ତ୍ର ଟ୍ରକ ଯୋଗେ ୪ଜଣ ମାହୁନ୍ତ ଓ ବନ କର୍ମଚାରୀଙ୍କ ସହ ଚନ୍ଦକାରୁ ଯାଇଛି ହାତୀ ।

ବାନ୍ଧବଗଡରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ଯଶୋଦା ସହାୟତାରେ ବାଘକୁ ଟ୍ରାଙ୍କୁଲାଇଜ କରିବେ । ହାତୀର ସହାୟତା ନେଇ ବାଘକୁ ଟ୍ରାଙ୍କୁଲାଇଜ ୍ କରିବାର ନଜିର ରହିଛି । ଏହି ହାତୀ ପୂର୍ବରୁ ଅନେକ ଥର ବଣୁଆ ହାତୀଙ୍କୁ ରୋକିବାରେ ସକ୍ଷମ ହୋଇଛି । ଏଥର ବାଘୁଣୀକୁ ମଧ୍ୟ ସେ ଠାବ କରିବା ସହ ରୋକି ପାରିବ ବୋଲି ବନ ବିଭାଗ ଆଶା ରଖିଛି । ହାତୀ ପିଠିରୁ ବିଶେଷଜ୍ଞ ଦଳ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାର ଯୋଜନା ରଖିଛନ୍ତି ।