ଜନବସତି ମୁହାଁ ଗଜରାଜ : ସୁନ୍ଦରଗଡ ଲାଠିକଟା ଅଂଚଳରେ ହାତୀପଲର ଉପଦ୍ରବ, ବ୍ୟାପକ ଧନଜୀବନ ନଷ୍ଟ

44

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଜନବସତି ମୁହାଁ ହାତୀ । ସୁନ୍ଦରଗଡ ଲାଠିକଟା ଅଂଚଳରେ ଏବେ ବଢିଚାଲିଛି ହାତୀ ଉପଦ୍ରବ । ୧୪ରୁ ଅଧିକ ହାତୀ ଏବେ ଲାଠିକଟାର ଆଖପାଖ ଅଂଚଳରେ ଡେରା ପକାଇଛନ୍ତି । ବ୍ୟାପକ ଧନଜୀବନ ନଷ୍ଟ କରୁଛନ୍ତି ଏହି ହାତୀ ପଲ । ଅନେକ ସମୟରେ ଜନବସତି ଭିତରେ ପଶି ଘରଦ୍ୱାର ବି ଭାଙ୍ଗୁଛନ୍ତି । ସେପଟେ ସୋନାପର୍ବତ ପାହାଡ ତଳୁ ଏକ ଛୁଆ ହାତୀର ମୃତଦେହ ମିଳିଛି । ଏହି ହାତୀଟିର ବୟସ ୨ରୁ ୩ ବର୍ଷ ଭିତରେ ହେବ ବୋଲି ଜଣାପଡିଛି ।

ଧାନ ଖାଇବାକୁ ଜମି ଭିତରେ ପଶିଥିବା ବେଳେ ପଙ୍କ ଭିତରେ ପଶି ଏହି ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ ୮ ବର୍ଷ ହେଲା ଲାଠିକଟା ଓ ଏହାର ଆଖପାଖ ଅଂଚଳରେ ନିୟମିତ ଚାଷ ଜମି ଓ ଗାଁ ଭିତରକୁ ହାତୀ ଆସୁଛନ୍ତି । ଝାଡଖଣ୍ଡ ସରଣ୍ଡା ଜଙ୍ଗଲରୁ ଏହି ହାତୀପଲ ଲାଠିକଟା ଭିତରକୁ ପଶି ଆସୁଛନ୍ତି । ଏହି ୧୪ ଟିକିଆ ହାତୀ ପଲକୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।